କରୋନାକୁ ପୂରିଲା ୧୦୧ ଦିନ: ଉଦାହରଣ ପାଲଟିଲା କେରଳ, ମହାରାଷ୍ଟ୍ରରେ ସ୍ଥିତି ଅଣାୟତ

ନୂଆଦିଲ୍ଲୀ,୧୦।୫: କରୋନା ଭାଇରସ ବିରୋଧରେ ସାରା ଦେଶ ଏକ ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ଏବେ ଭାରତରେ କରୋନାକୁ ପୂରଣ ହୋଇଛି ୧୦୧ ଦିନ। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦେଶରେ ପ୍ରଥମ କରି ଜାନୁୟାରୀ ୩୦ରେ କରୋନା ପ୍ରବେଶ କରିଥିଲା। କେରଳରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ଦେଶବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା। ହେଲେ ଏବେ କେରଳ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥିବା ବେଳେ ମହାରାଷ୍ଟ୍ର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେରଳରେ ଏବେ ମାତ୍ର ୨୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରି ସାରିଲାଣି। ମହାରାଷ୍ଟ୍ରରେ ବହୁ ପଛରେ ଅର୍ଥାତ୍‌ ମାର୍ଚ୍ଚ ୯ରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ମହାରାଷ୍ଟ୍ର ସହ ଯେମିତି ତାଳ ଦେଇ ଆଗକୁ ବଢୁଛି ଗୁଜରାଟ। ଏଠାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୭୯୬ରେ ପହଞ୍ଚିଲାଣି। କିନ୍ତୁ କେରଳରେ ଏବେ ସୁଦ୍ଧା ୫୦୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମାତ୍ର ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୨୦ ଜଣଙ୍କ ଚିକତ୍ସା ଚାଲିଥିବା ବେଳେ ଅବଶିଷ୍ଟ ସୁସ୍ଥ ହୋଇଛନ୍ତି। ପ୍ରଥମେ କେରଳରେ ଲୋକଙ୍କୁ ୧୪ ଦିନ ବଦଳରେ ୨୮ ଦିନ କ୍ୱରାଣ୍ଟାଇରେ ରଖାଯିବା ସହ ଥଣ୍ଡା ସର୍ଦ୍ଦିରେ ପୀଡିତ ଲୋକଙ୍କର ତୁରନ୍ତ ଚିକିତ୍ସା କରାଯିବାରୁ ସଂକ୍ରମଣକୁ କାବୁ କରାଯାଇପାରିଲା। ହେଲେ ମହାରାଷ୍ଟ୍ରର ବସ୍ତି ଅଞ୍ଚଳରେ ଏହା ଖୁବ୍‌ଶୀଘ୍ର ବ୍ୟାପିଯିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି କୁହାଯାଉଛି। ଏହାସହ ମହାରାଷ୍ଟ୍ରରେ ଲୋକେ ସୋସିଆଲ ଡିଷ୍ଟାନସିଂକୁ ନ ମାନିବା ମଧ୍ୟ ଆଉ ଏକ କାରଣ ବୋଲି କୁହାଯାଉଛି। ଦେଶର ସ୍ଥିତିକୁ ଦେଖିଲେ ଏବେ ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୬୩ ହଜାର ମୁହାଁ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୩ ହଜାର ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ସେହିପରି ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି।

Share