କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା

ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର ମୁକାବିଲା କରିବାକୁ ନାନା କଟକଣା କରାଯାଇଥିବା ବେଳେ ବିବାହ ଭଳି କାର୍ଯ୍ୟରୁ ବିରତ ରହିବାକୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି। ଏପରି ସ୍ଥଳେ ମୁମ୍ବାଇରେ ବୁଧବାର ଦେଖିବାକୁ ମିଳିଥିଲା ଏକ ନିଆରା ବିବାହ। ଏଥିରେ କରୋନା ସମ୍ପର୍କିତ ସମସ୍ତ ସତର୍କତା ଅବଲମ୍ବ କରାଯାଇଥିବା କହିଛନ୍ତି ଉଭୟ ପକ୍ଷ। ପାରମ୍ପରିକ ପୋଷାକରେ ବରକନ୍ୟାକୁ ଦେଖିବାକୁ ମିଳିଥିବା ବେଳେ ଉଭୟ ମାସ୍କ ପିନ୍ଧିଥିବା ନଜର ଆସିଥିଲା। ସବୁଜ ରଙ୍ଗର ମାସ୍କରେ କନ୍ୟାବର ସୁନ୍ଦର ଦେଖାଯାଉଥିବା ବେଳେ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କ ପାଇଁ ମଧ୍ୟ ମାସ୍କର ବ୍ୟବସ୍ଥା କରାଯାଇଥିଲା। ପରସ୍ପର ମଧ୍ୟରେ ଦୂରତା ରଖି ଏହି ବିବାହ କରାଯାଇଥିବା ବେଳେ ପଣ୍ଡିତ ମଧ୍ୟ ମାସ୍କ ପିନ୍ଧି ମନ୍ତ୍ର ପଢିଥିଲେ। ସୂଚନାଯୋଗ୍ୟ, ଫିଲିପାଇନ୍ସରେ ଗତ ମାସରେ ଏକ ସାମୁହିକ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମଧ୍ୟ କରୋନା ସମ୍ପର୍କିତ ସମସ୍ତ ସତର୍କତା ନେଇ ପ୍ରାୟ ୨୨୦ଯୋଡାଙ୍କର ବିବାହ କରାଯାଇଥିବା କୁହାଯାଏ।

Share