କରୋନାକୁ ମେ’ ୧୫ ସୁଦ୍ଧା ରୋକାଯିବା ଆବଶ୍ୟକ, ନଚେତ ପରିସ୍ଥିତିକୁ ସମ୍ଭାଳିପାରିବେ ନାହିଁ ସରକାର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସବୁଠାରୁ ବଡ଼ ବିପଦ ରହିଛି। ଏହା ବ୍ୟତୀତ ଅନ୍ୟ ରୋଗ ଯଥା ଡାଇବେଟିସ, ହୃଦରୋଗ, କ୍ୟାନ୍‌ସର, ଶ୍ୱାସଜନିତ ରୋଗ, ରକ୍ତ ଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଆଶଙ୍କା ରହିଛି। ବର୍ତ୍ତମାନ ଦେଶରେ ସ୍ବାସ୍ଥ୍ୟସୁବିଧାକୁ ଯଦି ଦେଖାଯାଏ ତେବେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ୭୦ଟି ବେଡ୍‌ ରହିଛି। ସେଥିରୁ ୭୦% ବେଡ୍‌ରେ ଅନ୍ୟ ରୋଗୀ ଅଛନ୍ତି। ବର୍ତ୍ତମାନ ସଂକ୍ରମଣକୁ ରୋକା ନ ଗଲେ ଅର୍ଥାତ୍‌ ମେ ୧୫ ସୁଦ୍ଧା ପ୍ରତିରୋଧ କରା ନ ଗଲେ ୭୦ ବେଡ୍‌ ସ୍ଥାନରେ ୧୬୧ ବେଡ୍‌ର ଆବଶ୍ୟକତା ପଡ଼ିବ। ଯାହାକି କୌଣସି ସରକାର କରିପାରିବ ନାହିଁ। ଏହାଦ୍ୱାରା ନେଡ଼ି ଗୁଡ଼ କହୁଣୀକୁ ବଢ଼ିଯିବ। ଏସବୁକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପୂର୍ବରୁ ତାହାକୁ ରୋକିବାକୁ ସରକାରୀ କଳରେ ଚିନ୍ତାରେ କରାଯାଉଛି ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share