Categories: ଖେଳ

କରୋନାକୁ ଲଢ଼ିବା ପାଇଁ ଜର୍ମାନୀ ଫୁଟ୍‌ବଲର୍‌ଙ୍କ ବଦାନ୍ୟତା

ବର୍ଲିନ, ୧୯।୩ (ଏଏଫ୍‌ପି)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଖେଳାଳିମାନେ ଆଗେଇ ଆସିଛନ୍ତି। ଏହି ମହାମାରୀରୁ ସୃଷ୍ଟି ହୋଇଥିବା ସଙ୍କଟକୁ ମୁକାବିଲା କରିବା ପାଇଁ ଜର୍ମାନୀ ଖେଳାଳିମାନେ ମିଳିତ ଭାବେ ୨.୭ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨୦ କୋଟି ୨୩ ଲକ୍ଷ ୨୦ ହଜାର ଟଙ୍କା) ଅର୍ଥ ଦାନ କରିଛନ୍ତି ବୋଲି ଜଣାପଡ଼ିଛି। ‘ଏହି ସମୟରେ ଆମେ ପରସ୍ପରର ଦେଖାଶୁଣା କରିବା ଆବଶ୍ୟକ। ଆମେ ଜାତୀୟ ଦଳର ଖେଳାଳିମାନେ ଏନେଇ ଚିନ୍ତା କରି ଗୋଟିଏ ଭଲ କାରଣ ଲାଗି ଦାନ କରିଛୁ’ ବୋଲି ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଅଧିନାୟକ ମାନୁଏଲ୍‌ ନେଉର୍‌ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହା କହିଛନ୍ତି। ଅନ୍ୟ ଜର୍ମାନୀ ଖେଳାଳିଙ୍କ ମଧ୍ୟରେ ଜୋଶୁଆ କିମ୍ମିଚ, ଲିଓନ ଗୋରେଟଜକା, ମାଥିଆସ ଗିଣ୍ଟର, ଲୁକାସ କ୍ଲୋଷ୍ଟରମାନ୍ନ ମଧ୍ୟ ସମାନ ଭିଡିଓ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଦୁର୍ଦ୍ଦିନ ସମୟରେ ଅନ୍‌ଲାଇନ ପ୍ଲାଟଫର୍ମ ‘ଓ୍ବିର୍‌ ହେଲଫେନ୍‌’ (ଓ୍ବି ହେଲ୍ସ) ନାମକ ଏକ ଅର୍ଗାନାଇଜେଶନରେ ଅର୍ଥ ଦାନ କରିବା ପାଇଁ ଜର୍ମାନୀ ଖେଳାଳିମାନେ ଜାଗରଣ ସୃଷ୍ଟି କରୁଛନ୍ତି। ଲୋକମାନେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର କୋଚ୍‌ ଜୋଚିମ ଲୋଓ୍ବି ନିକଟରେ ଆହ୍ବାନ ଦେଇଥିଲେ।

Share