କରୋନାଭାଇରସ୍‌ରେ ସଂକ୍ରମିତ ମା’ ଜନ୍ମଦେଲେ ସୁସ୍ଥ ସନ୍ତାନ

ବେଜିଂ,୧୧।୨: ଚାଇନାରେ କରୋନାଭାଇରସ୍‌ ଏବେ ମହାମାରୀର ରୂପ ନେଲାଣି। ଚାଇନା ସହ ଅନ୍ୟ ଦେଶଗୁଡିକରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଇତିମଧ୍ୟରେ କରୋନାଭାଇରସ୍‌ରେ ପୀଡ଼ିତ ଥିବା ଜଣେ ମହିଳା ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାପରେ ସେଠାରେ ଖୁସିର ଲହରୀ ଖେଳିଯାଇଛି। ଶିଶୁଟିର ଏକ ଭିଡିଓ ଟୁଇଟରରେ ଶେୟାର କରାଯାଇଥିବା ବେଳେ ୟୁଜର୍ସମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁଜର୍ସମାନେ ଉକ୍ତ ଶିଶୁଙ୍କୁ ଲକି ବେବି ବୋଲି ସମ୍ବୋଧନ କରିଛନ୍ତି। ଏହି ଘଟଣା ହେଉଛି ଉତ୍ତରପୂର୍ବ ଚାଇନାର ଶାନସ୍କି ଅଞ୍ଚଳର। ସୂଚନାଯୋଗ୍ୟ, ଶାନସ୍କି ଅଞ୍ଚଳରେ ଥିବା ଜିଓତାଙ୍ଗ ହସ୍ପିଟାଲରେ ସୋମବାର ଜଣେ ୩୩ ବର୍ଷୀୟ ମହିଳା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ଉକ୍ତ ମହିଳା କରୋନାଭାଇରସ୍‌ରେ ସଂକ୍ରମିତ ଥିବା ବେଳେ ସୁସ୍ଥ ଶିଶୁକୁ ଜନ୍ମ ଦେବା ଏହା ଏକ ଚମତ୍କାରିତାଠାରୁ କିଛି କମ୍‌ ନୁହେଁ। ଜନ୍ମ ହେବା ପରେ ଶିଶୁଟିର ଯାଞ୍ଚ କରାଯାଇଥିଲା। ହେଲେ ଏହି ଯାଞ୍ଚର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶିଶୁଟିକୁ ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ରେ ରଖାଯାଇଛି। କିଛି ଦିନ ପରେ ପୁଣି ତାଙ୍କର ରକ୍ତ ନମୂନାକୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।

Share