Categories: ଖେଳ

କରୋନାଭାଇରସ୍‌ ଆତଙ୍କ ଭାରତୀୟ ବକ୍ସର ଇଟାଲୀରେ ଟ୍ରେନିଂ ଜାରି ରଖିବେ

ନୂଆଦିଲ୍ଲୀ,୨୬।୨(ପି.ଟି.)- କରୋନାଭାଇରସ ଆତଙ୍କ ସତ୍ତ୍ୱେ ଇଟାଲୀର ଅସିସିରେ ଭାରତୀୟ ବକ୍ସର ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିବେ। ଆସନ୍ତାମାସରେ ଅଲିମ୍ପିକ୍ସ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କରୋନାଭାଇରସ ଆତଙ୍କ ପାଇଁ ଭାରତୀୟ ବକ୍ସରଙ୍କୁ ଇଟାଲୀ ଛାଡି ଚାଲିଯିବାର ବିକଳ୍ପ ଦିଆଯାଇଛି। ଭାଇରସ୍‌ର କେନ୍ଦ୍ରସ୍ଥଳୀ ଅସିସିଠାରୁ ବହୁ ଦୂରରେ ରହିଥିବାରୁ ବକ୍ସରମାନେ ଟ୍ରେନିଂ ଜାରି ରଖିବେ ବୋଲି କୁହାଯାଇଛି।
୧୩ ଜଣ ଭାରତୀୟ ବକ୍ସରଙ୍କ ସମେତ ସମାନ ସଂଖ୍ୟକ ସପୋର୍ଟଷ୍ଟାଫ୍‌ ଏବେ ଅସିସିରେ ରହିଛନ୍ତି। ଅସିସି ହେଉଛି କେନ୍ଦ୍ରୀୟ ଇଟାଲୀର ଉମ୍ବ୍ରିଆସ୍ଥିତ ଏକ ହିଲ୍‌ଟାଉନ। ଇଟାଲୀରେ କରୋନାଭାଇରସ୍‌ର ପ୍ରକୋପ ଦେଖାଦେଇଛି। ଏଥିରେ ୭ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୨୨୯ଜଣ ସଂକ୍ରମଣ ହୋଇଛନ୍ତି। ଆମେ ଏନେଇ ସାମାନ୍ୟ ଚିନ୍ତିତ ଅଛୁ ବୋଲି ଭାରତୀୟ ହାଇ ପରଫରମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଏଭା କହିଛନ୍ତି। ମିଲାନ ନିକଟରେ କରୋନାଭାଇରସର ସଂକ୍ରମଣ ଖବର ପାଇଛୁ। ତେବେ ଏଠାରୁ ବହୁ ଦୂର କେନ୍ଦ୍ରୀୟ ଅଞ୍ଚଳରେ ଆମେ ଟ୍ରେନିଂ ଜାରି ରଖିଛୁ। ବର୍ତ୍ତମାନ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ଇଟାଲୀ କର୍ତ୍ତୃପକ୍ଷ ଜଣାଇଛନ୍ତି ବୋଲି ସେ କହିଛନ୍ତି।
ମାର୍ଚ୍ଚ ୩ ତାରିଖରୁ ଜୋର୍ଡାନରେ ଅଲିମ୍ପିକ କ୍ୱାଲିଫାୟର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପ୍ରଥମେ ଚାଇନାର ଉହାନରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସେଠାରେ କରୋନାଭାଇରନ ବ୍ୟାପିବା କାରଣରୁ ଏହି ଇଭେଣ୍ଟକୁ ଜୋର୍ଡାନକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖଥାଉ କି, ଭାରତୀୟ ଦଳରେ ତାରକା ବକ୍ସରମାନେ ରହିଛନ୍ତି। ସେମାନେ ହେଲେ ମହିଳା ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରୀକମ, ଅମିତ ପଙ୍ଘାଲ ଓ ବିକାଶ କ୍ରିଷ୍ଣନ । ଶୁକ୍ରବାର ଏମାନେ ଜୋର୍ଡାନ ଯାତ୍ରା କରିବେ।

Share