କରୋନାଭାଇରସ ଭୟ: ପାଳିତ ଜୀବଙ୍କୁ ମାରି ଦେଉଛନ୍ତି ଲୋକେ

ବେଜିଂ,୨।୨: କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଚାଇନାରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଲୋକେ ଚାଲି ଚାଲି ଯିବାବେଳେ ରାସ୍ତାରେ ପଡି ସେମାନଙ୍କ ମୃତ୍ୟୁ ହେଉଛି। ଏବେ ଜାଣିବାକୁ ମିଳିଛି କି ଚାଇନାର ଲୋକ କରୋନାଭାଇରସ ଭୟରେ ପାଳିତ ଜୀବଙ୍କୁ ମାରି ବାହାରେ ଫିଙ୍ଗି ଦେଉଛନ୍ତି। ରାସ୍ତା ଉପରେ ଏସବୁ ଜୀବ ମୃତ ଅବସ୍ଥାରେ ମିଳିବା ପରେ ଏହା ଅନୁମାନ କରାଯାଉଛି। ତେବେ ପାଳିତ ଜୀବଙ୍କ ଦ୍ୱାରା ଏହି ଭାଇରସ ବ୍ୟାପୁଥିବା ଖବର ପ୍ରଚାର ହେବା ପରେ ଲୋକେ ଏଭଳି କରୁଛନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କରୋନା ଏବେ ଚାଇନାରେ ମହାମାରୀର ରୂପନେଇ ଅନେକ ଅଞ୍ଚଳ ଜନଶୂନ୍ୟ କରି ସାରିଲାଣି। ଲୋକେ ଏବେ ଚାଇନା ଗସ୍ତ କରିବାକୁ ଡରୁଛନ୍ତି। ଏମିତିକି ଚାଇନାର ଉହାନ ସହରରେ ଏହା ବେଶି ଦେଖାଯାଇଥିବାରୁ ଏଠାରେ ଥିବା ବିଦେଶୀଙ୍କୁ ସରକାର ନିଜ ନିଜ ଦେଶକୁ ଫେରାଇ ଆଣୁଛନ୍ତି। ଏବେ ଚାଇନାରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୭ ହଜାର ବୋଲି କୁହାଯାଉଛି।

Share