ଶ୍ରାବସ୍ତି,୬।୨: କରୋନାଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରାଇ ଦେଇଛି। ଏହାର ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାର ଭୟାବହତାକୁ ଦେଖି ଉତ୍ତର ପ୍ରଦେଶର ପ୍ରସିଦ୍ଧ ବୌଦ୍ଧ ତୀର୍ଥସ୍ଥଳୀ ଭାବେ ପରିଚିତ ଶ୍ରାବସ୍ତିର ଡେନ ମହାମଙ୍କୋଲ ମନ୍ଦିରରେ ତାଲା ପଡିଛି। ଏଠାକୁ ବହୁ ପରିମାଣରେ ବିଦେଶୀ ତୀର୍ଥଯାତ୍ରୀ ଆସୁଥିବାରୁ ମନ୍ଦିରରେ ତାଲା ଲାଗଯାଇଥିବା ସେଠାକାର ନୋଟିସ ବୋର୍ଡରୁ ଜଣାପଡିଛି। ମନ୍ଦିର ପ୍ରଶାସନ ଦ୍ୱାରା ମୁଖ୍ୟଦ୍ୱାରରେ ଲାଗିଥିବା ନୋଟିସରେ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଥିବା ଉଲ୍ଲେଖ କରାଯାଇଛି। ଉକ୍ତ ନୋଟିସ ବୋର୍ଡରେ ସ୍ପଷ୍ଟଭାବେ ଲେଖାଯାଇଛି କରୋନାଭାଇରସ ପାଇଁ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏହାର ଭୟାବହତା କମ୍ ହେବା ପରେ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି। ତେବେ ଶ୍ରାବସ୍ତିରେ ଏବେ ଗୋଟିଏ ବି କରୋନା ସଂକ୍ରମିତଙ୍କ ସୂଚନା ମିଳି ନ ଥିଲେ ମଧ୍ୟ ଏହା ପୂର୍ବରୁ ସତର୍କତା ଅବଲମ୍ବନ କରାଯାଇଥିବା କହିଛନ୍ତି ଉପଜିଲାପାଳ।