Categories: ଖେଳ

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଉପାୟ ନେଇ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱ ଟେନିସର ଏହି ଦୁଇ ସର୍ବବୃହତ୍‌ ପ୍ରଶାସନିକ ସଂସ୍ଥା ବିଏନ୍‌ପି ପାରିବାସ ସହିତ ମିଆମି ଓପନ, ଚାର୍ଲଷ୍ଟୋନ ଓପନ ପ୍ରଭୃତି ଟୁର୍ନାମେଣ୍ଟ ଆୟୋଜନ ହେବାକୁଥିବା ସ୍ଥାନରେ କେତୋଟି ନିୟମ ଲାଗୁ କରିଛନ୍ତି।
ନୂଆ ନିୟମ ଅନୁସାରେ କୋର୍ଟକୁ ଯିବା ବେଳେ ଖେଳାଳି ଓ ମାସ୍କଟ ହାତ ମିଳାଇବେ ନାହିଁ। ବଲ ବୟ ବା ବଲ୍‌ କିଡ୍‌ଙ୍କୁ ଟୁର୍ନାମେଣ୍ଟ ଅବସରରେ ଗ୍ଲୋଭ୍ସ ଦିଆଯିବ। ସେମାନେ ଖେଳାଳିଙ୍କ ଟାଓ୍ବେଲ କିମ୍ବା ପାନୀୟ ବୋତଲ ଧରିବେ ନାହିଁ। ଖେଳାଳିମାନଙ୍କୁ ମଧ୍ୟ ଟାଓ୍ବେଲ, ହେଡବ୍ୟାଣ୍ଡ, ଶାର୍ଟ ଓ ସ୍ବେଟ ବ୍ୟାଣ୍ଡ ବଣ୍ଟନ କରିବାରୁ ବାରଣ କରାଯାଇଛି। ବେଳେବେଳେ ଖେଳାଳିମାନେ ପ୍ରଶଂସକଙ୍କୁ ଏଗୁଡିକ ବିତରଣ ଦେଇଥାନ୍ତି। କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସେହିପରି ଖେଳାଳିମାନେ ସ୍ବାକ୍ଷର କରିବା ପାଇଁ କହାଠାରୁ କଲମ, ଟେନିସ ବଲ ଓ ଅନ୍ୟ ଜିନିଷ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରାଯାଇଛି।
ଖେଳାଳି, ପ୍ରଶଂସକ, ଷ୍ଟାଫ୍‌ ଓ ଟୁର୍ନାମେଣ୍ଟ ପରିଚାଳନା ପାଇଁ କାର୍ଯ୍ୟକରୁଥିବା ଲୋକଙ୍କ ସ୍ବାସ୍ଥ ଓ ନିରାପତ୍ତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ। ଏଥିସହିତ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଆମେ ଅଗ୍ରାଧିକାର ଦେଉଛୁ ବୋଲି ଏଟିପି ଓ ଡବ୍ଲ୍ୟୁଟିଏ ତରଫରୁ କୁହାଯାଇଛି। ସମ୍ପୁର୍ଣ୍ଣ ୨୦୨୦ ସେସନ ସାରା ଏହି ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଇଣ୍ଡିଆନ ଓ୍ବେଲ୍ସ ଟୁର୍ନାମେଣ୍ଟ ଉପଦେଷ୍ଟା କାରୋନାଭାଇରସ ସଂକ୍ରମଣକୁ ପାଇଁ ନିୟମ ଜାରି କରିଥିଲା। ଉଲ୍ଲେଖଥାଉ କି, ଶନିବାର ସୁଦ୍ଧା ବିଶ୍ୱର ୯୫ଟି ଦେଶର ପ୍ରାୟ ୧୫୦,୦୦୦ କରୋନାଭାଇରସରେ ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୩, ୫୫୬ ଲୋକ ମୃତ୍ୟୁ ବରଣ କରିଛନ୍ତି।

Share