କରୋନାରୁ ଦୂରେଇ ରହିବା ଲାଗି ହାତ ଧୋଉଧୋଉ ହୋଇ ବି ପାରେ ଜଳସଙ୍କଟ !

ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନ କରିବାକୁ କୁହାଯାଉଛି। ତେବେ ନିୟମିତ ଦିନରେ ଏକାଧିକ ଥର ହାତଧୋଇବା ଦ୍ୱାରା ବହୁ ପରିମାଣର ପାଣି ନଷ୍ଟ ହେଉଛି। ଯଦି ଏଭଳି ଜାରି ରୁହେ ତେବେ ଆଗାମୀ ଦିନରେ ଜଳସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ପୂର୍ବରୁ ଜଣେ ବ୍ୟକ୍ତି ୭୦-୭୫ ଲିଟର ପାଣି ବ୍ୟବହାର କରୁଥିବାବେଳେ ଲଗାତାର ହାତ ଧୋଇବା ଯୋଗୁ ଏବେ ଏହାର ପରିମାଣ ୧୨୫ ଲିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଶୀଘ୍ର କରୋନା ଆତଙ୍କର ଅନ୍ତ ନ ହେଲେ ଏଭଳି ହାତ ଧୋଉ ଧୋଉ ଦିନେ ନିଶ୍ଚିତ ଭାବେ ପୃଥିବୀର ଜଳଭଣ୍ଡାର ଯେ, ଶେଷ ହୋଇଯିବ ତାହା ନିଶ୍ଚିତ ବୋଲି ବିଶେଷଜ୍ଞ କହିଛନ୍ତି। ଏବେ ବି ପୃଥିବୀର ବହୁ ଅଞ୍ଚଳରେ ଜଳସଙ୍କଟ ଜାରି ରହିଛି। ଏପରିସ୍ଥଳେ ନିୟମିତ ବ୍ୟବଧାନରେ ହାତ ଧୋଇବା ଯୋଗୁ ପିଇବା ପାଣି ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭାରତର ରାଜସ୍ତାନ, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟ ଉପରେ ଅନୁଭୁତ ହେବ ବୋଲି କୁହାଯାଉଛି। ଖରାଦିନେ ଏଭଳି କେତେକ ରାଜ୍ୟରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଥାଏ। ଜଳ ବିହୁନେ ଲୋକେ କରୋନାରୁ ରକ୍ଷା ପାଇଁ ହାତ ଧୋଇ ଧୋଇ ଶେଷରେ ଶୋଷରେ ଯେ ଜୀବନ-ମରଣ ସଙ୍କଟରେ ପଡ଼ିବା ତାହା ନିଶ୍ଚିତ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share