ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏହି ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ଅନେକ ଲୋକ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ବାଦ ଏବଂ ଗନ୍ଧ ବାରିପାରୁନାହାନ୍ତି। ଏମିତି ଘଟିଛି ଜଣେ ୧୮ ବର୍ଷୀୟା ଯୁବତୀଙ୍କ କ୍ଷେତ୍ରରେ। ଏହି ଯୁବତୀ ଜଣକ କରୋନାରୁ ସୁସ୍ଥ ହେବାର ୬ ମାସ ପରେ ତାଙ୍କ ଘ୍ରାଣ ଶକ୍ତି ହରାଇ ବସିଛନ୍ତି। ଗ୍ବେଣ୍ଡାଲିନ୍ କେଲନ ନାମକ ଏହି ଯୁବତୀ ଘ୍ରାଣ ଶକ୍ତି ହରାଇଥିବାରୁ ପ୍ରତିଦିନ ୪ ପ୍ରକାରର ତେଲ ଶୁଙ୍ଘୁଛନ୍ତି। ମାତ୍ର ସମସ୍ତ ତେଲ ତାଙ୍କୁ ରବର ପରି ଗନ୍ଧ ହେଉଛି।
ଏକ ରିପୋର୍ଟ ଅନୁଯାୟୀ, ଏହି ଯୁବତୀଙ୍କ କରୋନା ନେଗେଟିଭ୍ ରିପୋର୍ଟ ଆସିଥିଲା। ୬ ମାସ ପରେ ସେ ଖାଇବା ସମୟରେ ସ୍ବାଦ ଜାଣି ପାରୁନାହାନ୍ତି। ବାନ୍ତି ହେଉଛି। ସେ ଆଜିପର୍ଯ୍ୟନ୍ତ ତାଙ୍କ ମନପସନ୍ଦର ଖାଦ୍ୟ ଖାଇପାରୁନାହାନ୍ତି।
ଆମେରିକାର ମିଶିଗାନ ସହରରେ ରହୁଥିବା ଗ୍ବେଣ୍ଡାଲିନ୍ ପ୍ୟାରୋସିମା ରୋଗରେ ପୀଡ଼ିତ। ଏହି ରୋଗ ହେଲେ ଗନ୍ଧ ବାରି ହେବ ନାହିଁ। ଯାହା କରୋନା ସଂକ୍ରମଣର ପାର୍ଶ୍ୱ ପ୍ରତିକ୍ରିୟା।
ଗ୍ବେଣ୍ଡାଲିନ୍ଙ୍କ ୫୧ ବର୍ଷୀୟ ପିତା କୁହନ୍ତି, ତାଙ୍କ ଝିଅ କରୋନାରୁ ସୁସ୍ଥ ହେବା ପରେ ସ୍ବାଦ କିମ୍ବା ଗନ୍ଧ ବାରି ପାରୁନାହାନ୍ତି। କେବଳ ଏମିତି କଷ୍ଟ ଜୀବନ ବିତାଉଛନ୍ତି। ଯାହା ତାଙ୍କୁ ବହୁତ ଦୁଃଖ ଦେଉଛି। ଗ୍ବେଣ୍ଡାଲିନ୍ ୩୦ ଜାନୁୟାରୀରେ କରୋନା ପଜିଟଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ପେଟରେ ଦରଜ ହେବା, ମୁଣ୍ଡ ଦରଜ ଏବଂ ବାନ୍ତି ହେବା ପରେ କରୋନା ଟେଷ୍ଟ କରାଇଥିଲେ। ଏଥିରୁ ପଜିଟିଭ୍ ବାହାରିଥିଲା। ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହେବାର ୬ ମାସ ପରେ ମଧ୍ୟ ଗ୍ବେଣ୍ଡାଲିନ୍ଙ୍କଠାରେ ଏପରି ଲକ୍ଷଣ ପ୍ରକାଶ ପାଉଛି। ଯାହା ତାଙ୍କୁ ଚିନ୍ତାରେ ପକାଇଛି। ଡାକ୍ତରମାନେ ତାଙ୍କୁ ପରୀକ୍ଷା ଜାରି ରଖିଛନ୍ତି।