କରୋନାରେ ମୃତ୍ୟୁ ହୋଇଥିବା ୮୨ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀରେ କରୋନାରେ ମୃତ୍ୟୁ ହୋଇଥିବା ପ୍ରାୟ ୮୨ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ। ଏକ ଖବରଦାତା ସମ୍ମିଳନୀରେ ସେ ଏହା ପ୍ରକାଶ କରିବା ସହ ଲୋକମାନଙ୍କୁ ସବୁ ପ୍ରକାର ସ୍ବାସ୍ଥ୍ୟ ସଚେତନତା ପାଳନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ପ୍ରାୟ ୭ହଜାର ସଂକ୍ରମିତଙ୍କ ମଧ୍ୟରୁ ପ୍ରଖାପାଖି ୧,୫୦୦ ହସ୍ପିଟାଲରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୭ ଜଣ ଭେଣ୍ଟିଲେଟରରେ ରହିଛନ୍ତି। ଆଉ ୭୫ ପ୍ରତିଶତ ସଂକ୍ରମିତ ସାମାନ୍ୟ ଆକ୍ରାନ୍ତ ବା ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ତେବେ କରୋନା ଯୋଦ୍ଧା ଓ ହେଲ୍‌ଥ କେୟାର ପ୍ରଫେଶନାଲଙ୍କ ପାଇଁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ସୂଚନାଯୋଗ୍ୟ, ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୯୨୩ ଥିବା ବେଳେ ପ୍ରାୟ ୭୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

Share