Categories: ଜାତୀୟ

କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ

କାନପୁର,୧୦।୭: କୁଖାତ୍‌ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର ବିକାଶଙ୍କ ମୃତ୍ୟୁ ପରେ କିନ୍ତୁ ତତ୍‌କ୍ଷଣାତ୍‌ ତାଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇ ନ ଥିଲା। ପ୍ରଥମେ ତାଙ୍କ ଶରୀରରୁ ସ୍ବାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସମସ୍ତେ ଏହାକୁ ନେଇ ସଚେତନ ଅଛନ୍ତି। ତେବେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ସୂଚନାଯୋଗ୍ୟ, ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଥିବା ବେଳେ ସେହିଦିନ ରାତିରେ ହିଁ ତାଙ୍କ ପତ୍ନୀଙ୍କୁ ପଚରା ଉଚରା ପରେ ଛାଡି ଦିଆଯାଇଥିଲା। ତେବେ ଯୋଜନାବଦ୍ଧ ଭାବେ ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କରାଯାଇଥିବା ଆଲୋଚନା ହେବା ମଧ୍ୟରେ ତାଙ୍କୁ ଏନ୍‌କାଉଣ୍ଟର କରାଯିବା ଏବେ ଏବେ ଆଉ କିଛି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share