କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨ ସପ୍ତାହ ପୂର୍ବେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର୍‌ ରିସର୍ଚ୍ଚ ଇନ୍‌ ରିପ୍ରଡକଟିଭ ହେଲ୍‌ଥ, ମୁମ୍ବାଇରେ ସେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟକରନ୍ତି। ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକରେ ଯୋଗ ଦେବାକୁ ସେ ଆସିଥିଲେ। ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ଅତିକ୍ରମ କରି ସାରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ୧୯ ହଜାର ଅତିକ୍ରମ କଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଆଇସିଏମ୍‌ଆର୍‌ ଗବେଷଣା ଜାରି ରଖିଥିବା ବେଳେ ଅନ୍ୟପଟେ ଜଣେ ଏହାର ବରିଷ୍ଠ ବୈଜ୍ଞାନିକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଯେମିତି ଚିନ୍ତାରେ ପକାଇଦେଇଛି।

Share