କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର ପର୍ଯ୍ୟନ୍ତ ଏହି କମ୍ପାନୀରେ ସବୁକିଛି ଠିକ୍‌ଠାକ୍‌ ଥିବା କୁହାଯାଉଥିଲା। ଦୀର୍ଘବର୍ଷ ପରେ କମ୍ପାନୀର ନୂଆ ଆଲଭିମର ଔଷଧ ଆୟକୁ ଯଥେଷ୍ଟ ବଢ଼ାଇଦେଇଛି। ଏହା କମ୍ପାନୀର ଏକ ଉଲ୍ଲେଖନୀୟ ଜୟଯାତ୍ରା ବୋଲି ବୋଷ୍ଟନଠାରେ ଏକ ସ୍ବାସ୍ଥ୍ୟସେବା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ମିଚେଲ ଭୌନାଟ୍‌ସୋସ୍‌ କହିଥିଲେ। ହେଲେ ସେ ଜାଣି ନ ଥିଲେ ସେତେବେଳକୁ କରୋନା ଭୂତାଣୁ ନୀରବରେ ଉକ୍ତ କମ୍ପାନୀର ବହୁ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ କବଳିତ କଲାଣି। ଏହି ଅଧିକାରୀମାନେ କମ୍ପାନୀର ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଖାଲି ସେତିକି ନୁହେଁ, ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହ ବିଦେଶକୁ ବିମାନ ଯାତ୍ରା କରିଥିଲେ ଓ ପରିବାର ସହ ରହିଥିଲେ। ସେମାନଙ୍କ ଯୋଗୁ ଆମେରିକାର ୬ଟି ରାଜ୍ୟ ଏବଂ ୩ଟି ଦେଶକୁ କରୋନା ଭୂତାଣୁ ବ୍ୟାପିଲା ବୋଲି କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ଏହି ସଂକ୍ରମଣକୁ ଚିହ୍ନଟ କରିପାରିଲେ ନାହିଁ। ବାୟୋଜେନ୍‌ ସମ୍ମିଳନୀ ଆମେରିକାରେ କରୋନା ଭୂତାଣୁ ବ୍ୟାପିବାର ଅନ୍ୟତମ ପ୍ରଥମ ଦୃଷ୍ଟାନ୍ତ। ଏହି ସମ୍ମିଳନୀକୁ କୋଭିଡ୍‌-୧୯ର ସୁପରସ୍ପ୍ରେଡିଂ ଇଭେଣ୍ଟ ବୋଲି ମହାମାରୀ ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟ ସର୍ବାଧିକ ସଂକ୍ରମଣ ସିଟଲ ବାହାରେ ଥିବା ଏକ ନର୍ସିଂ ହୋମ ଏବଂ କନେକ୍ଟିକଟ୍‌ରେ ଏକ ଜନ୍ମଦିନ ଉତ୍ସବରେ ହୋଇଥିବା କୁହାଯାଉଛି। ତେବେ ବାୟୋଜେନ୍‌ ସମ୍ମିଳନୀରୁ ଯେଭଳି ଗୋଷ୍ଠୀ ସଂକ୍ରମଣ ହେଲା ତାହା ସବୁଠାରୁ ଭିନ୍ନ ଥିଲା। କାରଣ କରୋନା ବିରୋଧରେ ଲଢ଼ୁଥିବା ଦେଶର ବହୁ ବିଶିଷ୍ଟ ସ୍ବାସ୍ଥ୍ୟସେବା ପେସାଦାରମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

Share