କରୋନାର ସ୍ପ୍ରେଡ୍ ମ୍ୟାପ୍‌: ଚାଇନାରୁ ଆରମ୍ଭ; ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ୫୦ରୁ ଅଧିକ ଦେଶରେ ସଂକ୍ରମିତ

ୱାଶିଂଟନ, ୪ ।୪: କରୋନା ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି । ଏହାର ଆରମ୍ଭ ଚାଇନାର ଉହାନସ୍ଥିତି ମାଂସ ବଜାରରୁ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ପୃଥିବୀର ୫୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏକ ସ୍ପ୍ରେଡ୍ ମ୍ୟାପ୍ ରିପୋର୍ଟରେ ପ୍ରକାଶ ପାଇଛି । ସଂକ୍ରମିତ ହୋଇଥିବା ୫୦ରୁ ଅଧିକ ଦେଶରେ ଇଟାଲିରୁ ଫେରିଥିବା ଲୋକଙ୍କଠାରେ ହିଁ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି । ଉହାନରୁ ରୋମ୍‌ର ଦୂରତା ୮ ହଜାର କିଲୋମିଟରରୁ ଅଧିକ । ତେବେ ବି ସୃଷ୍ଟି ସ୍ଥାନରୁ ଏତେ ଦୂରରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିଲା । ଇଟାଲିରେ ପ୍ରଥମ ୨ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୧ରେ ଚିହ୍ନଟ କରାଯାଇଥିଲା । ସେମାନେ ଚାଇନାରୁ ଫେରିଥିବା ପର୍ଯ୍ୟଟକ ଥିଲେ । ଏହାପରେ କରୋନା ଏଠାରେ ବ୍ୟାପିବାରେ ଲାଗିଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ଦେଶ ବିମାନ ଉଡ଼ାଣ ବନ୍ଦ କରିଥିଲେ ମଧ୍ୟ ଇଟାଲି ଏହା ଜାରି ରଖିଥିଲା । ଅବସ୍ଥା ଅସମ୍ଭାଳ ହେବାରୁ ମାର୍ଚ୍ଚ ୧୬ରେ ଇଟାଲି ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲା । ସେତେବେଳକୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । କରୋନା ସଂକ୍ରମଣ ନେଇ ସରକାରଙ୍କ ଦାୟିତ୍ୱହୀନତା, ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣରେ ବିଳମ୍ବ ଏବଂ ଏଠାରେ ଥିବା ଜନସଂଖ୍ୟା ସାନ୍ଦ୍ରତା ଯୋଗୁ କରୋନାର ଗୋଷ୍ଠୀ ସଂକ୍ରମଣ ସହଜରେ ହୋଇଥିଲା ବୋଲି ରିପୋର୍ଟ ଦର୍ଶାଯାଇଛି । ଭାରତରେ ମାର୍ଚ୍ଚ ୬ରେ ୧୬ ଜଣ ଇଟାଲି ପର୍ଯ୍ୟଟକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ,ହାପରେ ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଇଟାଲି ଯୋଗୁ କରୋନା ୟୁରୋପ, ଏସିଆ, ଆଫ୍ରିକା, ଆମେରିକା ଆଦି ବହୁ ଅଞ୍ଚଳରେ ବ୍ୟାପିଥିବା ରିପୋର୍ଟରେ କୁହାଯାଇଛି ।

Share