କରୋନା ଆକ୍ରାନ୍ତଙ୍କ ଲୁହରୁ ହେବ ସଂକ୍ରମଣ

ନୂଆଦିଲ୍ଲୀ,୨।୮: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଗବେଷଣା କରାଯାଉଛି। ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍‌ ସଂକ୍ରମଣ ପଜିଟିଭ୍‌ ଆକ୍ରାନ୍ତଙ୍କ ଲୁହରୁ ମଧ୍ୟ ବ୍ୟାପିପାରେ। ଏହି ଅଧ୍ୟୟନ ପଞ୍ଜାବ ଅମୃତସରର ଏକ ସରକାରୀ ମେଡିକାଲ କଲେଜ ଦ୍ୱାରା କରାଯାଇଛି। ୧୨୦ ରୋଗୀଙ୍କ ନମୁନା ନେଇ ଏହି ପରୀକ୍ଷା କରାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, କରୋନାର ଅଧିକାଂଶ ସଂକ୍ରମଣ ନିଶ୍ୱାସ ପ୍ରଶ୍ୱାସରେ ହୋଇଥାଏ। ସୂଚନାଯୋଗ୍ୟ, ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ୧୨୦ କରୋନା ଆକ୍ରାନ୍ତଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ରୋଗୀଙ୍କ ମଧ୍ୟରୁ ୬୦ଜଣଙ୍କର ଲୁହ ଦ୍ୱାରା ଅନ୍ୟମାନଙ୍କ ଶରୀରରେ ସଂକ୍ରମଣ ବ୍ୟାପିଥିଲା। କିନ୍ତୁ ଅନ୍ୟ ୬୦ଜଣ ରୋଗୀଙ୍କ ମଧ୍ୟରେ ଏହା ଦେଖିବାକୁ ମିଳି ନ ଥିଲା। ଅନୁସନ୍ଧାନକାରୀମାନେ ୪୧ରୋଗୀଙ୍କ ମଧ୍ୟରେ କଞ୍ଜୁକ୍ଟିଭାଲ ହାଇପରମିଆ, ୩୮ଜଣଙ୍କ ମଧ୍ୟରେ ଫୋଲିକ୍ୟୁଲାର୍‌ ପ୍ରତିକ୍ରିୟା, ୩୫ଜଣଙ୍କ ମଧ୍ୟରେ କେମୋସିସ୍‌, ୨୦ଜଣ ରୋଗୀଙ୍କ ମଧ୍ୟରେ ମ୍ୟୁକୋଇଡ୍‌ ଡିସଚାର୍ଜ ଏବଂ ୧୧ଜଣଙ୍କଠାରେ କୁଣ୍ଡେଇ ହେବା ସମସ୍ୟା ଦେଖାଦେଇଥିଲା। ଓକ୍ୟୁଲାର ଲକ୍ଷଣ ଥିବା ପ୍ରାୟ ୩୭ ପ୍ରତିଶତ ରୋଗୀଙ୍କର ମଧ୍ୟମ କୋଭିଡ-୧୯ ସଂକ୍ରମଣ ଥିଲା ଏବଂ ଅବଶିଷ୍ଟ ୬୩ପ୍ରତିଶତ ଜଣଙ୍କଠାରେ କରୋନାର ଗୁରୁତର ଲକ୍ଷଣ ରହିଥିଲା। ରିପୋର୍ଟ ଅନୁଯାୟୀ, ପ୍ରାୟ ୧୭.୫ପ୍ରତିଶତ ରୋଗୀଙ୍କର ଲୁହର ଆରଟି ପିସିଆର ପରୀକ୍ଷା କରାଯାଇଥିଲା। ଆଉ ରିପୋର୍ଟରେ ସେମାନଙ୍କର କରୋନା ପଜିଟିଭ ବାହାରିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share