କରୋନା ଆକ୍ରାନ୍ତ ଓ୍ବାର୍ଡ ଅଫିସରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ କାର୍ଯ୍ୟରତ ଓ୍ବାର୍ଡ ଅଫିସରଙ୍କ ମୃତ୍ୟୁ ହୋଇଛି। ସେ ୪୫ ନମ୍ବର ୱାର୍ଡରେ ୱାର୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗତ ୧୭ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି। ସେ ୪୫ ନମ୍ବର ୱାର୍ଡରେ କୋଭିଡ୍‌ ସମ୍ପର୍କିତ ସମସ୍ତ କାର୍ଯ୍ୟ କରୁଥିବାବେଳେ ଏହି ୱାର୍ଡରେ ନୋଡାଲ୍‌ ଅଫିସର ଭାବେ ନିଯୁ୍‌କ୍ତ ଥିଲେ। ଗତ ମାର୍ଚ୍ଚରୁ ସେ କରୋନା ଲଢ଼େଇରେ ନିଜର ସକ୍ରିୟ ଭୂମିକା ନିର୍ବାହ କରୁଥିବାବେଳେ ହୋମ୍‌ ଆଇସୋଲେସନ, ଗୁରୁତରଙ୍କୁ ହସ୍ପିଟାଲ୍‌ ସ୍ଥାନାନ୍ତର, କ୍ୱାରେଣ୍ଟାଇନ୍‌ ଓ ଆକ୍ଟିଭ୍‌ ସର୍ଭେଲାନ୍ସ ଭଳି କାର୍ଯ୍ୟକୁ ତଦାରଖ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଦକ୍ଷିଣପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିଶନର ଏ ସମ୍ପର୍କରେ ବିଏମ୍‌ସି କମିଶନରଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ଏଥିସହ ତାଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ସହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ପରେ ଶୁକ୍ରବାର ସତ୍ୟନଗର ଶ୍ମଶାନରେ ତାଙ୍କ ସହକର୍ମୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଏମ୍‌ସି ନିଜର ୨ କରୋନା ଯୋଦ୍ଧାଙ୍କୁ ହରାଇ ସାରିଛି। ଜଣେ ଏନଫୋର୍ସମେଣ୍ଟ ଇନ୍ସପେକ୍ଟରଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ମହିଳା କର୍ମଚାରୀ କୋଭିଡ୍‌ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହରାଇଥିଲେ।

Share