କରୋନା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳରେ ପହଞ୍ଚିଲେ ଉପଜିଲାପାଳ

ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଏବଂ ଜଣେ ଯୁବକ ଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ରିଗିଡ଼ି ଗ୍ରାମର ଏହି ଅଢ଼େଇ ବର୍ଷର ଶିଶୁକନ୍ୟା କରୋନା ଭୂତାଣୁ ଚିହ୍ନଟ ହେବା ପରେ ସ୍ଥାନୀୟ ଉପଜିଲାପାଳ ଏବଂ ବିଡିଓ ପୋଲିସ ସମେତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ଗ୍ରାମର ୧ କିଲୋମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ସିଡିଏମ୍‌ଓଙ୍କ ଉପସ୍ଥିତିରେ ଉକ୍ତ ପରିବାର ତଥା କଣ୍ଟାକ୍ଟରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସେହିପରି ବାଲେଶ୍ୱର ରେଲ୍‌ଓ୍ବେ କଲୋନୀର ୩୦ ବର୍ଷୀୟ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ପହଞ୍ଚି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଲିଷ୍ଟ ସଂଗ୍ରହ କରୁଛନ୍ତି।
ସୂଚନାଯୋଗ୍ୟ, ଶନିବାର ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୋମବାର ଆଉ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚଛି।