ଲସ୍ ଏଞ୍ଜେଲ୍ସ,୧୮।୩- କେଭିନ ଡୁରାଣ୍ଟଙ୍କ ସମେତ ବ୍ରୁକ୍ଲିନ ନେଟ୍ସ ଦଳର ୪ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ କରୋନାରେ ପୀଡ଼ିତ ଏନ୍ବିଏ (ବାସ୍କେଟବଲ) ଖେଳାଳିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ନେଟ୍ସ କ୍ଲବ ପକ୍ଷରୁ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ। ମାତ୍ର ଡୁରାଣ୍ଟ ସେମାନଙ୍କ ମଧ୍ୟରୁ ଜଣେ ଥିବା ସ୍ପଷ୍ଟ କରିଛନ୍ତି। ସମସ୍ତଙ୍କୁ ଆଇସୋଲେଟ୍ କରାଯାଇଛି। ଜଣଙ୍କ ନିକଟରେ ଲକ୍ଷଣ ଦେଖାଯାଉଥିବାବେଳେ ତାଙ୍କଠାରୁ ଅନ୍ୟ ୩ ଜଣଙ୍କୁ ବ୍ୟାପିଛି। ଏକ ଡାକ୍ତରୀ ଦଳ ସେମାନଙ୍କ ପର୍ଯ୍ୟବେକ୍ଷଣ କରୁଛନ୍ତି। ଖେଳାଳି ଓ ଷ୍ଟାଫ୍ଙ୍କ ସ୍ବାସ୍ଥ୍ୟ ଆମ ପାଇଁ ସର୍ବଉପରେ। ପୀଡ଼ିତଙ୍କ ଅଧିକ ଯତ୍ନ ନିଆଯାଉଛି ବୋଲି ନେଟ୍ସ ପକ୍ଷରୁ କୁହାଯାଇଛି। ନେଟ୍ସ ଦଳ ଗତ ୧୦ ତାରିଖରେ ଲସ୍ ଏଞ୍ଜେଲ୍ସଠାରେ ଲେକର୍ସ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲା। ନେଟ୍ସ କ୍ଲବ ଖେଳାଳିଙ୍କ ସ୍ବାବ ରିପୋର୍ଟ ପ୍ରକାଶ କରିବା ପରେ ଏନବିଏ ସିଜନର ଦ୍ୱିତୀୟ ସର୍ବାଧିକ ରେକର୍ଡ ଅଧିକାରୀ ଲେକର୍ସ ଦଳୀୟ ଖେଳାଳିଙ୍କ ପରୀକ୍ଷା କରାଯିବ ବୋଲି ଘୋଷଣା ହୋଇଛି।