କରୋନା ଆଗରେ କେହି ନୁହନ୍ତି ଅଜେୟ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୨।୩ : କରୋନା ସଂକ୍ରମଣ ସାରା ପୃଥିବୀରେ ମହାମାରୀ ଭଳି ମାଡ଼ି ଚାଲିଛି। ଏହାକୁ ରୋକିବାରେ ସମସ୍ତ ଦେଶ ବିଫଳ ହୋଇଛନ୍ତି। ଏହାର ପ୍ରତିଷେଧକ ଟୀକା ଏପର୍ଯ୍ୟନ୍ତ ମଧ୍ୟ ବାହାର କରିବାକୁ ଆଧୁନିକ ବିଜ୍ଞାନ ଅସଫଳ ରହିଛି। ଦିନ ରାତି ପୃଥିବୀର ହଜାର ହଜାର ବୈଜ୍ଞାନିକ ଏଭଳି ମହାମାରୀର ପ୍ରତିରୋଧର ସମାଧାନ ବାହାର କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଚାଇନାରେ କରୋନା ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କୁ ଅନୁଧ୍ୟାନ କରିବା ପରେ ଅନୁମାନ କରାଯାଉଥିଲା ଏହା ଛୋଟ ପିଲା ଏବଂ ୫୦-୬୦ରୁ ଉର୍ଦ୍ଧ ବୟସ୍କଙ୍କ କ୍ଷେତ୍ରରେ ଘାତକ ହୋଇଥାଏ। ତେବେ ଚାଇନା ପରେ ଇଟାଲିକୁ ନିଜର ନୂଆ ଠିକଣା କରିଥିବା କରୋନା ଭୂତାଣୁ ଦ୍ୱାରା ହାରାହାରି ୮୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେଣୁ ସ୍ବତଃ ଅନୁମାନ କରାଯାଉଥିଲା ଯେ, କରୋନା ବୟସ୍କ ତଥା କମ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ହେବା ସ୍ବାଭାବିକ। ମାତ୍ର ଭାରତର ପାଟଣାରେ ରବିବାର ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ବିଭିନ୍ନ ଦେଶ ତଥା ଭୌଗୋଳିକ ପରିବେଶରେ କରୋନା ଭୂତାଣୁର ଭିନ୍ନ ଭିନ୍ନ କ୍ରିୟାଶୀଳତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଆଗରେ କେହି ଅଜେୟ ନୁହନ୍ତି। ଏହା ଯେ, କୌଣସି ବୟସର ବ୍ୟକ୍ତିଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି।

Share