କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮) ଓ ପୁଅ ତପ(୫)କୁ ନେଇ ତାଙ୍କର ତେଲଲୁଣର ସଂସାର। କରୋନା ଆତଙ୍କ ସହ ଲକ୍‌ଡାଉନ ଯୋଗୁ ଆର୍ଥିକ ଅନଟନରେ ବୁଡିଯାଇଥିଲା ସୁଜାତାଙ୍କ ବୁଣାକାର ପରିବାର ା ବ୍ୟବସାୟ ନ ଥିବାରୁ ପରିବାର ସଦସ୍ୟମାନେ ହାତବାନ୍ଧି ବସିଥିଲେ ା ତଥାପି ଦଇବ ସହିଲା ନାହିଁ ା ଏହି ପରିବାର ଉପରେ ମାଡି ଆସିଲା ଆଉ ଏକ କଳା ମେଘ। ଗତ ୧୨ ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସ୍ବାମୀ ଦୁର୍ଯ୍ୟୋଧନଙ୍କ ପାଟଣାଗଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ଏପରି ଖବର ପାଇବା ପରେ ସୁଜାତାଙ୍କ ପାଦତଳ ମାଟି ଯେମିତି ଫାଟି ଯାଇଥିଲା ା ଦୁଇ ଛୋଟ ପିଲାଙ୍କୁ ଧରି ସେ କ’ଣ କରିବେ କିଛି ଚିନ୍ତା ବି କରି ପାରି ନ ଥିଲେ ା ଏବେ ଭାଗ୍ୟକୁ ଆଦରି କେବଳ ଲୁହ ଗଡ଼ାଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ ା
ଦୁର୍ଯ୍ୟୋଧନ ମେହେରଙ୍କର ସମ୍ପତ୍ତି ବୋଲି କିଛି ନାହିଁ। ନିଜର କୌଳିକ ବୃତ୍ତି ଲୁଗା ବୁଣି ପରିବାର ପ୍ରତିପୋଷଣ କରୁଥିଲେ ସେ। ମହାଜନଙ୍କଠାରୁ ସୂତା ଆଣି ଲୁଗା ବୁଣିବା ପରେ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏଥିରୁ ଯାହା ମିଳୁଥିଲା ସେଥିରେ ବଡକଷ୍ଟରେ ଚାରି ପ୍ରାଣୀ କୁଟୁମ୍ବ ଚଳାଇବା କଠିନ ହେଉଥିଲା। କରୋନା ଭୟବହତାକୁ ଲକ୍ଷ୍ୟ କରି ସରକାର ଲକ୍‌ଡାଉନ ଘୋଷଣା କରିବା ପରେ ଅନ୍ୟମାନଙ୍କ ପରି ଏହି ବୁଣାକାର ପରିବାରର ଉପାର୍ଜନା ଉପରେ ପଡିଥିଲା ଚଡ଼କ। ବୁଣିଥିବା ଲୁଗା ବିକ୍ରି ହୋଇ ନ ପାରି ଘରେ ପଡି ରହିଲା। ଏଥିସହିତ କଞ୍ଚାମାଲ ସଂଗ୍ରହ ବି ହୋଇ ପାରିଲାନି। ଏପରି ଦୁଃଖଦ ପରିସ୍ଥିତି ବେଳେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ସବୁକିଛି ଯେମିତି ଓଲଟପାଲଟ କରିଥିଲା ା ସରକାରୀ ସାହାଯ୍ୟ କହିଲେ ଆବାସ ଯୋଜନାରେ ଘର ଖଣ୍ଡିଏ ଏବଂ ମାସକୁ ପଞ୍ଚାୟତରୁ ମିଳୁଥିବା ୧୦ କେଜି ଚାଉଳ ଏହି ପରିବାର ପାଇଁ ସାହା ଭରସା ହୋଇଛି ା ଏତିକିରେ ସୁଜାତା କିପରି ନିଜ ପରିବାର ଚଳାଇବେ ସେହି ଚିନ୍ତାରେ ପଡ଼ିଛନ୍ତି ା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share