କରୋନା ଆତଙ୍କ ସମୟରେ କଳାବଜାରୀ, ଚଢାଉ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୨୬ା୩-  କରୋନା ଆତଙ୍କକୁ ନେଇ ବିଶ୍ୱସ୍ତରରୁ ଗାଁ ଯାଏ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବାବେଳେ କେତେକ ଅସାଧୁ ବେପାରୀ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ହ୍ୟାଣ୍ଡୱାସ, ସାନିଟାଇଜର ଚଢ଼ାଦରରେ ବିକ୍ରି କରୁଛନ୍ତି। ଆଳୁ, ପିଆଜ, ଚାଉଳ, କିରାନା ସାମଗ୍ରୀର ବି କଳାବଜାର କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ପାଇବା ପରେ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତିର୍କିତ ଚଢ଼ାଉ କରାଯାଇଥିଲା। ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ ଓ ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ବଲାଙ୍ଗୀର ସହରର ମଧ୍ୟସ୍ଥଳରେ ଥିବା ଦୁଇଟି ମେଡିକାଲ ଷ୍ଟୋରରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରେ ସାନିଟାଇଜର, ମାସ୍କ ଓ ହ୍ୟାଣ୍ଡୱାସ ଗଚ୍ଛିତ ରଖାଯାଇଥିବା ନେଇ ପ୍ରଶାସନକୁ ଖବର ମିଳିଥିଲା। ହେଲେ ଚଢ଼ାଉ ବେଳେ ଉଭୟ ମେଡିକାଲ ଷ୍ଟୋରରେ ଏସବୁ ମହଜୁଦ ନଥିବା ଜଣାପଡିଥିଲା। ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଦୋକାନରେ ଏଭଳି ଅତର୍କିତ ଚଢ଼ାଉ କରାଯାଇ ସେମାନଙ୍କ ଷ୍ଟକ ଯାଞ୍ଚ କରାଯିବ ବୋଲି ଉପଜିଲାପାଳ ମିଶ୍ର କହିଛନ୍ତି।

Share