କରୋନା ଭୂତାଣୁର ଦ୍ରୁତ ବିସ୍ତାର ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଛି I ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ଏହା ପାଞ୍ଚମାସ ଭିତରେ ବିଶ୍ୱକୁ ନିଜ ପଞ୍ଝାରେ ବାନ୍ଧି ରଖିପାରିଛି I ଏହାଦ୍ୱାରା ବିଶ୍ୱର ବଡବଡ ସମୃଦ୍ଧଶାଳୀ ରାଷ୍ଟ୍ରମାନେ ଏକପ୍ରକାର ଉପାୟଶୂନ୍ୟ I
ଭାରତରେ ଏହାର ପ୍ରକୋପ ବଢିନାହିଁ ଏହା ନିଶ୍ଚୟ ଭଗବାନଙ୍କର ଆଶୀର୍ବାଦ I କାରଣ ଭାରତ ଭଳି ଏକ ଜନବହୁଳ ଦେଶରେ ଏହା ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ନିଶ୍ଚୟ ରହିଛି I ବିଶେଷଭାବରେ ଭାରତରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଯେଉଁ ସ୍ଥିତି ତାହା କରୋନା ସଂକ୍ରମଣକୁ ରୋକିବାରେ କେତେଦୂର ସମର୍ଥ ତାହା ମଧ୍ୟ ଆମେ ଊଣା ଅଧିକେ ଜାଣି ସାରିଲେଣି I
ତନ୍ମଧ୍ୟରେ ଆଉ ଗୋଟିଏ କଥା ଆଖି ଆଗରେ ଜଳଜଳ ହୋଇ ଦିଶୁଛି; ତାହା ହେଲା ଆମ ଦେଶର ଲୋକଙ୍କର ସଚେତନତା I ବିନା କାରଣରେ ବିପଦକୁ ଡାକିବା ପାଇଁ ଆମ ଦେଶର ଅନେକ ଲୋକ ‘ତାଲା ବନ୍ଦ’ ନିୟମକୁ ଉଲ୍ଲଂଘନ କରିବା ପରିଲକ୍ଷିତ ହେଉଛି I
ଯଦିଓ ଏ କ୍ଷେତ୍ରରେ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କିନ୍ତୁ ବାହାରେ ବୁଲୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଯେ ସେଇ ଗୋଟିଏ ଲକ୍ଷ୍ୟ ତାହା ଅସମ୍ଭବ I ବିନା କାମରେ ବାହାରେ ବୁଲୁଥିବା ବ୍ୟକ୍ତିମାନେ ନିଶ୍ଚୟ ଦେଶଦ୍ରୋହୀ I କିନ୍ତୁ ବାହାରେ ବୁଲୁଥିବା ସେହିଭଳି ବ୍ୟକ୍ତିମାନଙ୍କ ଭିତରେ ରହିଯାଇଛନ୍ତି କିଛି ଏଭଳି ବ୍ୟକ୍ତି ଯେଉଁମାନଙ୍କ ପାଖରେ ଏ ଦେଶ ଉତ୍ତରଦାୟୀ I
ସେମାନେ ହେଲେ ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ଦିନମଜୁରିଆ I ନବ ଭାରତକୁ ନିର୍ମାଣ କରିଥିବା ବିନ୍ଧାଣୀମାନେ ଯେ ଏତେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ତାହା ଦିଲ୍ଲୀଠାରୁ ପଲ୍ଲି ଯାଏ ସ୍ପଷ୍ଟ ବାରିହୋଇ ଯାଇଛି ଏବଂ ଏହା ସୂଚେଇ ଦେଉଛି ଯେ, ଭାରତର ଯାହା ବି ଭୌତିକ ବିକାଶ ହୋଇଛି ତାହା ମୂଲ୍ୟହୀନ I
କରୋନାର ଭୟାବହତା; ଯେଉଁଠି ଗୋଟିଏ ବ୍ୟକ୍ତି ପାଖରେ ଆଉ ଗୋଟିଏ ବ୍ୟକ୍ତି ଛିଡାହେଲେ ବି ମୃତ୍ୟୁର ଭୟ ରହିଛି ସେଠି ସବୁ ଜାଣିଶୁଣି ବି ହଜାର ହଜାର ଶ୍ରମିକ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଏକାଠି ହୋଇ ନିଜ ଭିଟାମାଟିକୁ ଫେରିଯିବାକୁ ନେହୁରା ହେଉଛନ୍ତି; ଏହାଠାରୁ ଲଜ୍ଜା ଆମ ଭାରତୀୟମାନଙ୍କ ପାଖରେ ଆଉ କ’ଣ ବା ଥାଇପାରେ ? କରୋନାର ମୃତ୍ୟୁର ଭୟ ସେମାନଙ୍କ ପାଇଁ ତୁଚ୍ଛ ଥିଲା ସେ ସମୟରେ I
ବର୍ତ୍ତମାନ ଦେଶର ପରିସ୍ଥିତି ଏବଂ ଏ ପରିସ୍ଥିତିରେ ଶ୍ରମିକମାନଙ୍କର ସ୍ଥିତି ନିଶ୍ଚୟ ଚିନ୍ତନୀୟ ବିଷୟ I
ସେମାନଙ୍କର ଏ ଦୁର୍ଦ୍ଦଶା କାହାପାଇଁ ? କ’ଣ ଏଥିପାଇଁ ସେ ନିଜେ ଦାୟୀ ? ବର୍ତ୍ତମାନର କେନ୍ଦ୍ର ସରକାର ତଥା ରାଜ୍ୟ ସରକାରମାନେ ସାମାନ୍ୟ ଖାଦ୍ୟ ଦେଇ ସ୍କୁଲ ଘର ଭିତରେ ତାଙ୍କୁ ଅବରୁଦ୍ଧ କରି ରଖିଦେଲେ କ’ଣ ସେମାନଙ୍କର ସମସ୍ୟାର ସମାଧାନ ହୋଇଗଲା ? ଯେଉଁ ଶ୍ରମିକମାନେ ଦିନ ତମାମ ଖଟିଖଟି ସଂଧ୍ୟାବେଳେ ଗଣ୍ଡେ ଖାଇବାକୁ ପାଇବେ କିନ୍ତୁ ରାତିରେ ଶୋଇଲା ବେଳକୁ ସକାଳର ପେଟଚିନ୍ତା ମାଡିବସୁଥିବ; ସେମାନଙ୍କର ସମସ୍ୟାର ସମାଧାନ କ’ଣ କିଛି ଦିନର ଖାଦ୍ୟ ଓ ବାସସ୍ଥାନ? ଆଜିର ଜୀବନ ଯା’ ପାଇଁ ସ୍ଥିର ନୁହେଁ ଭବିଷ୍ୟତ କରୋନାର ମୃତ୍ୟୁ ତା’ ପାଇଁ କ’ଣ ଭୟଙ୍କର ହୋଇପାରିବ ? ସମଗ୍ର ଭାରତରେ ଦୁଃଖ ଏବଂ ଦୁର୍ବିଷହରେ ବିତୁଥିବା ଶ୍ରମିକ ମାନଙ୍କର ଦୁଃଖ ଦେଖି ଅନୁମାନ କରାଯାଏ ଚାଇନା, ଇଟାଲି, ଆମେରିକା, ଫ୍ରାନ୍ସ ପ୍ରଭୃତି ଅତ୍ୟଧିକ କରୋନା କ୍ଷତିଗ୍ରସ୍ତ ଦେଶ ଅପେକ୍ଷା ଆମ ଭାରତ ବହୁତ କ୍ଷତିଗ୍ରସ୍ତ I
ଦିନୁଦିନ ବିକାଶ କରୁଥିବା ନବଭାରତର ନିର୍ମାତାମାନେ ଯେ ଏତେ ଦୁଃସ୍ଥ ଏବଂ ନିଷ୍ପେଷିତ ସେଭଳି ଦୃଷ୍ଟି ଅନ୍ୟ କୌଣସି କରୋନା ପ୍ରଭାବିତ ଦେଶରେ ଦେଖାଯାଇନାହିଁ I
ବାସ୍ତବରେ ଦେଖିବାକୁ ଗଲେ ଆଜକୁ ଶହ ଶହ ବର୍ଷ ଧରି ଭାରତର ଶ୍ରମିକମାନେ ଅଜ୍ଞାତ କରୋନାର ପ୍ରଭାବରେ ଜର୍ଜରିତ I
ପ୍ରଶାସନର ପ୍ରଭାବରେ ଆମେ ଶ୍ରମିକମାନଙ୍କୁ ଶାନ୍ତି କରିଦେବା ସତ, କିନ୍ତୁ ଏହାଦ୍ୱାରା ଭାରତର ଚିତ୍ର ବଦଳିପାରିବ ନାହିଁ I ତେଣୁ ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ, ଭିତ୍ତିଭୂମି ପ୍ରଭୃତି ସମସ୍ତ ବିକାଶ କରିବା ସଙ୍ଗେ ସଙ୍ଗେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କର ସମାନ ଚିନ୍ତନ ଶ୍ରମିକମାନଙ୍କର ବିକାଶ ପ୍ରତି ରହିବା ଆବଶ୍ୟକ I ଏଥିରେ ଦେଶର ପ୍ରତ୍ୟେକଟି ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅନିବାର୍ଯ୍ୟ I
ଶ୍ରମିକ ଯେ ଜଣେ ମଣିଷ; ଏ ତତ୍ତ୍ୱକୁ କେହି ବି ଭୁଲିଯିବା ଅନୁଚିତ I ତେବେ ସୂକ୍ଷ୍ମ ଦୃଷ୍ଟିରେ ବିଚାରକଲେ ଦେଖାଯାଏ, ପ୍ରତ୍ୟେକଟି ଶ୍ରମିକ ବିପଦ ବେଳରେ ତା’ ଭିଟାମାଟିକୁ ଚାଲିଯିବାକୁ ଶ୍ରେୟସ୍କର ମଣୁଛି I ଅପରପଟେ ଦେଖାଯାଏ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କାମ କରୁଛନ୍ତି I ତେବେ ନିଜ ରାଜ୍ୟରେ କାମ ଥାଇ ମଧ୍ୟ ଶ୍ରମିକ ଅନ୍ୟ ରାଜ୍ୟରେ କାମକରିବାର ଚିନ୍ତନକୁ ସରକାରଙ୍କୁ ଅନୁଧ୍ୟାନ କରିବାକୁ ପଡିବ I ଆମେ ଦେଖୁ ଓଡ଼ିଶାରେ ଆନ୍ଧ୍ରପ୍ରଦେଶ, ଓ୍ବେଷ୍ଟବେଙ୍ଗଲ ତଥା ବିହାର ପ୍ରଭୃତି ରାଜ୍ୟର ଅନେକ ଶ୍ରମିକ ନିୟୋଜିତ I ଠିକ୍ ସେହିଭଳି ଆନ୍ଧ୍ରପ୍ରଦେଶ, କେରଳ, ତାମିଲ୍ନାଡୁ ପ୍ରଭୃତି ପ୍ରଦେଶରେ ଓଡ଼ିଶାର ଶ୍ରମିକ ନିଯୁକ୍ତ I ଏ ପ୍ରକ୍ରିୟା ସମଗ୍ର ଭାରତରେ ଅଛି I ନିଜ ରାଜ୍ୟରେ ଜଣେ ଶ୍ରମିକ ଯେତିକି ରୋଜଗାର କରୁଛି ଅନ୍ୟ ରାଜ୍ୟରେ ଯଦି ସେହି ସମାନ ରୋଜଗାର ତେବେ ଯାତାୟାତ ଖର୍ଚ୍ଚ ତଥା ଘରଠାରୁ ଅନେକ ଦୂର ଯାଇ ଶ୍ରମିକମାନଙ୍କର ଲାଭ କ’ଣ ? ଏହା ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ରାଜ୍ୟରେ କାମ କରୁଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେଉଁ ରାଜ୍ୟରେ କାମ ହେଉଛି ସେହି ରାଜ୍ୟର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ I ବେଳେବେଳେ ନିଜ ରାଜ୍ୟର ଶ୍ରମିକମାନଙ୍କର ମନମାନି ମଧ୍ୟ ନଜରକୁ ଆସେ। ତେଣୁ ଏ କ୍ଷେତ୍ରରେ କାର୍ଯ୍ୟ କରିବାର ପ୍ରଣାଳୀ ଏବଂ ସମୟ ନିର୍ଘଣ୍ଟ କରି ଏ ସମସ୍ୟାର ସମାଧାନ ଏକାନ୍ତ ଜରୁରୀ I ଦ୍ୱିତୀୟତଃ ଗାଁ ଗାଁରେ କୃଷି ବର୍ତ୍ତମାନ ଏକପ୍ରକାର ଧରାଶାୟୀ I
କୃଷକର ପରିବାର କୃଷି ନ କରି ବାହାରେ ଡ୍ରାଇଭର ହୋଇ ବେଶି ଟଙ୍କା ରୋଜଗାର କରୁଛି I ଅଥଚ ଓଡ଼ିଶାରେ ଚାଷଜମି ପଡିଆ ପଡୁଛି I ଏ ସ୍ଥିତି ଆଉ କେତେଦିନ ଚାଲିବ ? ରାଜ୍ୟ ସରକାରଙ୍କ କୃଷି ବିଭାଗର ଏ ଦାୟିତ୍ୱ ନୁହେଁ କି ଜମି କାହିଁକି ଚାଷ ହେଉନାହିଁ ସେ ତତ୍ତ୍ୱକୁ ବିଚାର କରି କୃଷକକୁ ପ୍ରୋତ୍ସାହିତ କରିବା I ଯଦି କୃଷକ ନିଜ ଘରେ ରହି ଉପଯୁକ୍ତ ରୋଜଗାର କରିପାରିବ ତେବେ ବିପଦ ବେଳେ ସେ ନ ଖାଇ ନ ପିଇ ଭିଟାମାଟି କାହିଁକି ଖୋଜିବ ? ଓଡ଼ିଶାର ଅନେକ ଶ୍ରମିକ ବାହାରେ ଲଘୁ ଉଦ୍ୟୋଗ କଳକାରଖାନାରେ କାମ କରନ୍ତି, ମାଛ ଚାଷ କରନ୍ତି ତଥା ମୂଲ ଲାଗନ୍ତି I ସେହି ଶ୍ରମିକମାନେ ହିଁ ଆମକୁ ମାର୍ଗ ଦେଇଦେବେ କେଉଁ ଉପାୟରେ ସେମାନେ ନିଜ ଘରେ ରହି ନିଜ ପାଇଁ କର୍ମ ଯୋଗାଡ କରିପାରିବେ I ପ୍ରତି ପଞ୍ଚାୟତରେ ଲଘୁ ଉଦ୍ୟୋଗ, ମାଛଚାଷ, କପାଚାଷ ପ୍ରଭୃତି କରି ଶ୍ରମିକମାନଙ୍କୁ ସ୍ବାବଲମ୍ବୀ କରାଯାଇପାରିବ I ତେଣୁ ସରକାର ଏ କ୍ଷେତ୍ରରେ ଏକ ସୁଚିନ୍ତିତ ପଦକ୍ଷେପ ନେଇ ଦେଶର ସମୃଦ୍ଧିକୁ ଅଗ୍ରସର କରାଇବା ପାଇଁ ପ୍ରଯତ୍ନ କରନ୍ତୁ I
ଆଶା ଏହି କରୋନା ସଂକ୍ରମଣ ଶ୍ରମିକମାନଙ୍କର ଦୁର୍ଦ୍ଦଶାକୁ ପ୍ରତ୍ୟେକ ରାଜ୍ୟର ସରକାରଙ୍କୁ ଉଜ୍ଜୀବିତ କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଶ୍ରମିକ ସୁରକ୍ଷା ଦିଗରେ ସଚେତନ କରାଇବ I
ଡା. ଭାରତ ଭୂଷଣ ରଥ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ -୮୮୯୭୪୨୬୨୪୩