କରୋନା କଟକଣା: ନିୟମ ମାନିବାକୁ ତାଗିଦ୍‌, କାଲିଠୁ ନିଆଯିବ କାର୍ଯ୍ୟାନୁଷ୍ଠାନ

ଆରଡି,୨୬।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧୀନରେ ଥିବା ୪ ପଞ୍ଚାୟତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାରେ ଧୂଷୁରୀ ଥାନା ପୋଲିସ ଓ ଚାନ୍ଦବାଲି ତହସିଲ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ମିଳିତ ଚଢାଉ କରାଯାଇଛି । ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ପୋଲିସ ଟିମ୍‌ ସହ ଆସି ଫାଣ୍ଡି ପୋଲିସ ସହାୟତାରେ ସୁନ୍ଦରପୁର, ଦୋହରାପାଟଣା, ମଠଡିହ, ପହଣା ଆରଡି ଆଦି ଛକରେ ଶୁକ୍ରବାରଠାରୁ ଦୋକାନ ନ ଖୋଲିବାକୁ ତାଗିଦ କରିଥିଲେ । ତାଙ୍କ ସହ ଚାନ୍ଦବାଲି ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ଜଣେ ବ୍ୟବସାୟୀ ଯୁକ୍ତି କରିବାରୁ ତାଙ୍କୁ ଆରଡି ଫାଣ୍ଡିରେ ଅଟକ ରଖିବା ସହ ସର୍ତ୍ତ ରଖି ଛାଡିଥିଲେ । ପୋଲିସ ଗୁରୁବାର କେବଳ ତାଗିଦ କରିଛି, ଶୁକ୍ରବାର ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି।