କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା  କଟକଣା ଯୋଗୁ ଯାତ୍ରା ସମ୍ପୂର୍ଣ୍ଣ ଫିକା ପଡିଯାଇଛି। ପରମ୍ପରା ଅନୁସାରେ ବର୍ଷକୁ ୨୧ ଦିନ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ନିଜ ମନ୍ଦିର ଛାଡି ବିଶ୍ବବାସୀଙ୍କ ମଙ୍ଗଳ ଲାଗି ବାହାରକୁ ଆସିଥାନ୍ତି । ଏଣୁ ଏହି ବିଧି ଓ ପରମ୍ପରାକୁ ରକ୍ଷାକରି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କେବଳ ଦେବ ନୀତି କରାଯାଇଛି। କରୋନାଠୁ ବିଶ୍ବବାସୀଙ୍କୁ ରକ୍ଷା ଲାଗି ପୂଜା କରାଯାଇଛି। ଢୋଲ, ଗିନି, ଝାଞ୍ଜ ସହ ଆଉ କଳାରୁଦ୍ରମଣିଙ୍କୁ ଭଜହେ ଡାକ ଶୁଭୁନାହିଁ। ଏହା ସହ ସହର ପରିକ୍ରମା ଲାଗି ମା’ ଦଣ୍ଡକାଳୀ ଯାଇ ନ ଥିବା ହେତୁ ଦାଣ୍ଡରେ ପୂର୍ଣ୍ଣକୁମ୍ଭମାନ ଦେଖିବାକୁ ମିଳୁନାହିଁ॥ କେବଳ ନୀତିକାନ୍ତି ଦ୍ୱାରା ପୂଜାର୍ଚ୍ଚନା ଚାଲିଛି।