କରୋନା କଟକଣା: ନୀରବି ଯାଇଛି ଆରଡ଼ି ପୀଠ, ୩୫୦ ବର୍ଷ ମଧ୍ୟରେ ନ ଥିଲା ଏପରି ପ୍ରତିବନ୍ଧକ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ। ହେଲେ କରୋନା ଭାଇରସ୍‌ ପାଇଁ ଶୁକ୍ରବାରଠାରୁ କଟକଣା ଜାରି କରାଯାଇଛି। ଫଳରେ ୬ ଦିନ ହେଲାଣି ଆଉ ଶୁଭୁନି ହରିବୋଲ, ହୁଳହୁଳି ଏବଂ ଓମ୍‌ ନମୋଃ ଶିବାୟ ଧ୍ୱନି। ପୀଠରେ ହେଉନି ରୁଦ୍ରାଭିଷେକ କି ମୁଣ୍ଡନ କାର୍ଯ୍ୟ। କେବଳ ସେବାୟତମାନେ ବାବାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ବାବାଙ୍କ ଆବିର୍ଭାବ ୩୫୦ ବର୍ଷରୁ ଅଧିକ ହୋଇଥିଲେ ବି ଏଭଳି ପ୍ରତିବନ୍ଧକ କେବେ ହୋଇ ନ ଥିଲା ବୋଲି କୁହାଯାଏ। ବାବାଙ୍କ ବଡ଼ ସିଂହାର ବେଶରେ ଆଉ ସେତେ ପରିମାଣର ଫୁଲ ଓ ବେଲପତ୍ର ଲାଗୁ ନ ଥିବା କୁହାଯାଉଛି।ବାରପଡ଼ା ଅଧିବାସୀ ମଧ୍ୟ ବାବାଙ୍କ କୁଣ୍ଡ ଚନ୍ଦୁକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହା ପୀଠର ସର୍ବଷୌଧି କହିଲେ ଚଳେ। ବିଷଧର ସର୍ପର ବିଷ ମଧ୍ୟ କୁଣ୍ଡଜଳ ସେବନରେ ପାଣି ହୋଇଯାଏ ବୋଲି ବାରପଡ଼ାବାସୀଙ୍କ ବିଶ୍ୱାସ ରହିଛି। ଲୀଳାମୟ କେବେ ଭକ୍ତଙ୍କୁ ଦର୍ଶନ ଦେବେ ତାହା ସେହି ବିଶ୍ୱ ନିୟନ୍ତା ବାବା ଆଖଣ୍ଡଳମଣିଙ୍କୁ ଜଣା ବୋଲି ବହୁ ଭକ୍ତ ମତ ଦେଇଛନ୍ତି।