ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଶନିବାରଠାରୁ ବିଭିନ୍ନ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍, ଗୁପ୍ଚୁପ୍ ଠେଲା ଓ ଉଠା ଦୋକାନୀଙ୍କୁ ବନ୍ଦ କରିଛି ପୌର ପ୍ରଶାସନ। ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ସେ କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୋକାନୀମାନଙ୍କୁ ଅବଗତ କରାଯାଇଥିଲା। ଶନିବାର ପୂର୍ବାହ୍ନରୁ ବସ୍ଷ୍ଟାଣ୍ଡ, ବାଟା ଛକ, ମେନ୍ ରୋଡ୍, ହାଟପଡ଼ିଆ ଆଦି ଅଞ୍ଚଳରେ ହୋଟେଲ, ଉଠା ଦୋକାନୀ, ଚା’ଦୋକାନ ଆଦି ବନ୍ଦ କରାଯାଇଛି। ସନ୍ଧ୍ୟାରେ ପୁଣି ଦୋକାନୀମାନଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି।