କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଜନସାଧାରଣ ଏ ବାବଦରେ ଅଜ୍ଞ ଥିବାରୁ ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସଚେତନ କରାଇଥିଲା। ଫଳରେ ଦିନ ୧୧ଟା ପରେ କେବଳ ଅଡ୍‌ ନମ୍ବର ଥିବା ଗାଡି ଚଳାଚଳ କରିଥିଲା। ଯାନବାହନର ସଂଖ୍ୟା ଯଥେଷ୍ଟ କମ୍‌ ଥିବା ଦେଖାଯାଇଥିଲା। ଏ ନେଇ ଯୋଡ଼ା ଥାନାଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି, ଅଡ୍‌-ଇଭିନ୍‌ ଲାଗୁ ହେଲେ ଭିଡ଼ ନିୟନ୍ତ୍ରଣ ହୋଇପାରିବ। ଯଦିଓ ଲୋକମାନେ ଏ ସଂକ୍ରାନ୍ତରେ ସଚେତନ ନାହାନ୍ତି, ତଥାପି ପୋଲିସ ବିଭିନ୍ନ ସ୍ଥାନରେ ଯାନବାହନ ଅଟକାଇ ସଚେତନ କରୁଛି। ଏନେଇ ବଡ଼ବିଲ୍‌ ଏଆର୍‌ଟିଓ ମାନସ ରଂଜନ ସାହୁ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଯୋଡା ଓ ବଡବିଲ୍‌ ସହରରେ ବିଭାଗ ପକ୍ଷରୁ ଯାନବାହନ ନେଇ ଯାଉଥିବା ଲୋକମାନଙ୍କୁ ଅଡ୍‌-ଇଭିନ୍‌ ବିଷୟରେ ବୁଝାଯାଉଛି । ଏହାଦ୍ୱାରା ଭିଡ଼ କମିବ ବୋଲି ଆଶା କରାଯାଉଛି । ସେହିପରି ଯୋଡା ପୌରପାଳିକା ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ବିଭିନ୍ନ ଓ୍ବାର୍ଡର ମୁରବି ଶ୍ରେଣୀୟ ଲୋକମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।

Share