କରୋନା କଟକଣା: ରୂପ୍‌ସା ଝୋଟ କାରଖାନା ବନ୍ଦ

ରୂପ୍‌ସା, ୨୪।୩(ଡି.ଏନ.ଏ.)-କରୋନା କଟକଣା ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ଜୟକିଶନ ଦାସ ମଲ ଝୋଟ କାରଖାନାକୁ ମଙ୍ଗଳବାରଠାରୁ ବନ୍ଦ ରଖାଯାଇଛି। କାରଖାନା ଜେନେରାଲ ମ୍ୟାନେଜର ମୁଖ୍ୟ ଫାଟକରେ ଏ ନେଇ ଏକ ନୋଟିସ୍‌ ଝୁଲାଇଛନ୍ତି। ରାଜ୍ୟ ସରକାରଙ୍କ ହେଲ୍‌ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟର ଚିଠି (ନଂ. ୮୮୭୦/୨୩।୩।୨୦) ମୁତାବକ କାରଖାନା କର୍ତ୍ତୃପକ୍ଷ ଆସନ୍ତା ୨୯ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କାରଖାନା ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ହେଲେ କାରଖାନା ବନ୍ଦକୁ ସମ୍ପ୍ରସାରଣ କରାଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବାଲେଶ୍ୱର ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ରୂପ୍‌ସା ଥାନା ଓ ଝୋଟ କାରଖାନା ସଂଘର ସାଧାରଣ ସମ୍ପାଦକଙ୍କୁ ଅବଗତ କରାଯାଇଛି। ଏଥିସହ କାର୍ଯ୍ୟରତ ଶ୍ରମିକ ଓ ଅଫିସ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି। କାରଖାନା ବନ୍ଦ ଯୋଗୁ ୮୫୦ଶ୍ରମିକଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି।