କରୋନା କଟକଣା: ଲୋକସେବା ଭବନ ପାସ୍‌ ବନ୍ଦ; ଥଣ୍ଡାଜ୍ୱର ଥିଲେ ଛୁଟିରେ ରହିପାରିବେ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲାଗୁ କରାଯାଉଛି। ଏହି କ୍ରମରେ ଲୋକସେବା ଭବନରେ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଓ ଟିମ୍‌ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଲୋକସେବା ଭବନର ପାସ୍‌କୁ ବନ୍ଦ କରିଦିଆଯାଇଛି। ତେବେ ଭିଜିଟର୍‌ ପାସ୍‌ ବନ୍ଦ କରାଯାଇଥିବା ବେଳେ ନିହାତି ଆବଶ୍ୟକ ଥିଲେ ଅନୁମତି ମିଳିବ। କର୍ମଚାରୀଙ୍କୁ ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ ସେ ଛୁଟି ନେଇପାରିବେ। ଏପରିକି ସେମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଲିଭ୍‌ରେ ରହିପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଗୁରୁବାର ସୂଚନା ଦେଇଛନ୍ତି।

Share