କରୋନା କବଳରେ ବିଶ୍ୱର ୨୧୦ ଦେଶ : ଲକ୍ଷେ ଟପିଲା ମୃତ୍ୟୁ ସଂଖ୍ୟା, ସଂକ୍ରମିତ ମାମଲାରେ ଭାରତର ସ୍ଥାନ ୨୧

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶନିବାର ମଧ୍ୟ ଜନସାଧାରଣଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ଆଜି ପର୍ଯ୍ୟନ୍ତ ବିଶ୍ୱରେ ୨୧୦ଟି ଦେଶ, ୨ ଜାହାଜ କରୋନା କବଳକୁ ଆସିଛନ୍ତି । ଶୁକ୍ରବାର ସମଗ୍ର ବିଶ୍ୱରେ ୧୬ ଲକ୍ଷ ୧୦ହଜାର ୬୨ଜଣ ଆକ୍ରାନ୍ତ ଥିବାବେଳେ ଶନିବାର ଏହି ସଂଖ୍ୟା ବଢ଼ି ୧୭ ଲକ୍ଷ ୮୭୦ରେ ପହଞ୍ଚିଛି। ଶୁକ୍ରବାର ମୃତକଙ୍କ ସଂଖ୍ୟା ୯୬ହଜାର ୩୬୫ ଥିବାବେଳେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଏହା ୧ଲକ୍ଷ ୨ହଜାର ୭୮୯ରେ ପହଞ୍ଚିଛି।
ସେହିଭଳି ଭାରତ ସରକାରଙ୍କ ଆକଳନ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୨୧ ଥିବାବେଳେ ଶନିବାର ସକାଳ ସୁଦ୍ଧା ଏହା ୭୪୪୭ରେ ପହଞ୍ଚିଛି । ଅପରପକ୍ଷେ ଭାରତରେ ମୃତକଙ୍କ ସଂଖ୍ୟା ଶୁକ୍ରବାର ୧୮୯ ଥିବାବେଳେ ଶନିବାର ଏହା ୨୩୯ ହୋଇଛି। ଭାରତ ବିଶ୍ୱସ୍ତରରେ ୨୧ତମ ସଂକ୍ରମିତ ଦେଶ ଏବଂ ଓଡ଼ିଶା ୧୭ ନଂ ସ୍ଥାନରେ ଥିବା ବାଗ୍‌ଚୀ କହିଛନ୍ତି ।

Share