କରୋନା କବଳରେ ସାରା ଓଡ଼ିଶା

ଭୁବନେଶ୍ୱର,୪।୬:(ବ୍ୟୁରୋ):ମହାମାରୀ କରୋନା କବଳକୁ ଚାଲିଯାଇଛି ରାଜ୍ୟର ସମସ୍ତ ଜିଲା। ପୂର୍ବରୁ ୨୯ ଜିଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ଏବେ ବାକିଥିବା ରାୟଗଡ଼ା ଜିଲାରୁ କୋଭିଡ୍‌-୧୯ ଠାବ ହୋଇଛି। ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି। ଶେଷ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୩୨ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଓ ୧୧ଜଣ ଲୋକାଲ କେସ୍‌ ବା ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୪୧ଜଣ ଥିବାବେଳେ ବାଲେଶ୍ୱରରେ ୨୪, ସୋନପୁରରେ ୧୭, ବଲାଙ୍ଗୀରରେ ୧୩, କେନ୍ଦ୍ରାପଡ଼ାରେ ୯, ମୟୂରଭଞ୍ଜ ଓ ନୂଆପଡ଼ାରେ ୮ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଓ ଗଜପତିରେ ୪ଜଣ ଲେଖାଏ ଥିବାବେଳେ ସମ୍ବଲପୁର, ଅନୁଗୋଳ, ଭଦ୍ରକ ଓ ଖୋର୍ଦ୍ଧା ୩ଜଣ ଲେଖାଏ ଏବଂ କଳହାଣ୍ଡି, ଦେବଗଡ଼ ଓ ରାୟଗଡ଼ାରେ ଜଣେ ଲେଖାଏ ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୨୩୮୮ରେ ପହଞ୍ଚତ୍ଛି। ତେବେ କରୋନା ମୁକ୍ତଥିବା ରାୟଗଡ଼ା ଜିଲାରେ ଚିହ୍ନଟ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଓ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। କରୋନା ଚିହ୍ନଟ ହେବା ପରେ ରାୟଗଡ଼ାରେ ଲୋକେ ଭୟଭୀତ ହୋଇପଡିଥିବାବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ପାଇଁ ତତ୍ପରତା ପ୍ରକାଶ ପାଇଛି।
ସେପଟେ କରୋନାରୁ ପୁଣି ସୁସ୍ଥ ହୋଇଛନ୍ତି ଆଉ ୯୧ଜଣ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୪୧୬ ଛୁଇଁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ବୁଧବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ ଜିଲାରୁ ସର୍ବାଧିକ ୨୨ଜଣ ଥିବାବେଳେ ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗୀରରୁ ୯, ଅନୁଗୋଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ଜଣ ଲେଖାଏ ଏବଂ ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲାରୁ ଜଣେ ଲେଖାଏ ରହିଛନ୍ତି।

Share