Categories: ଜାତୀୟ

କରୋନା କମିଲେ ଅର୍ଥନୀତି ସୁଧୁରିବ

ନୂଆଦିଲ୍ଲୀ,୧୭ା୬: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। କିଭଳି ଭୂତାଣୁ ଉପରେ ନିୟନ୍ତ୍ରଣ ଅଣାଯିବ ଓ କି ପକ୍ଷେପ ଗ୍ରହଣ କରାଯିବ, ସେନେଇ ମୋଦି ଆଲୋଚନା କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ସହ ଏହା ମୋଦିଙ୍କ ଷଷ୍ଠ ଆଲୋଚନା ହୋଇଥିବା ବେଳେ ସମୟସାପେକ୍ଷ ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି।
ଆଲୋଚନାରେ ଏବେକାର ସଫଳ ପଦକ୍ଷେପ ଭବିଷ୍ୟତରେ ଆମେ ଏକାଠି ଲଢ଼ିବାର ଅଭିଜ୍ଞତାକୁ ଦର୍ଶାଇବ ବୋଲି ମୋଦି ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ଏବେ ସାଧାରଣ ଜୀବନଯାପନ ଆରମ୍ଭ ହେଲାଣି। ଲୋକମାନେ ବାଣିଜ୍ୟ, ବ୍ୟବସାୟ ଓ ଅଫିସ୍‌କୁ ଫେରିଲେଣି। ସ୍ବାଭାବିକ ପ୍ରକ୍ରିୟା ସହ ଆର୍ଥତ୍କ ସୁଧାର ସ୍ଥିତି ଆସିଲାଣି। ମହାମାରୀ କରୋନା କମିଲେ ଆର୍ଥତ୍କ ଅଭିବୃଦ୍ଧି ଦେଖାଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାରା ବିଶ୍ୱକୁ ଦେଖିଲେ ଭାରତର ସ୍ଥିତି ଭଲ ଅଛି ଓ କମ୍‌ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ କରୋନା ବିରୋଧରେ ଲଢ଼େଇ ଲାଗି ଆମେ ସତର୍କତାର ସହ ଆଗକୁ ମାଡ଼ିବା ଦରକାର। ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ନିହାତି ଜରୁରୀ। ଦୁଇ ଗଜ ଦୂରତା ରକ୍ଷାକରିବା ସହ ହାତ ଧୋଇ ସାନିଟାଇଜ୍‌ କରିବା ନିତାନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି। ହାଟବଜାର ଖୋଲିଛି, ଆମକୁ ଅଧିକ ସତର୍କ ଓ ସାବଧାନ ହୋଇ କାମ କରିବାକୁ ପଡ଼ିବ। ଦେଶରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୫୦%ରୁ ଅଧିକ ହେଲାଣି। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଛନ୍ତି। ଅନ୍‌ଲକ୍‌-୧କୁ ୨ ସପ୍ତାହ ପୂରିଛି, ହେଲେ ବିଶ୍ୱ ସ୍ଥିତିକୁ ଦେଖିଲେ ଭାରତର ସ୍ଥିତି ସେତେ ବିଗିଡ଼ି ନାହିଁ। ଭବିଷ୍ୟତ ରଣନୀତି ଲାଗି ରାଜ୍ୟ ମୁଖ୍ୟମାନଙ୍କ ଗୁରୁଦାୟିତ୍ୱ ରହିଛି। ସେମାନଙ୍କ ମତାମତ ଓ ବାସ୍ତବ ସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ପ୍ରକାଶଥାଉ କି, ଭାରତରେ ଗତ କିଛିଦିନ ହେବ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେଇଥିବା ବେଳେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩ ଲକ୍ଷ ୪୫ ହଜାରରେ ପହଞ୍ଚିଲାଣି। ମୃତ୍ୟୁସଂଖ୍ୟା ୯,୯୦୦ ଟପିଛି। ଗତ ୫ ଦିନ ହେବ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜଧାନୀ ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ନାଟକ, ଗୁଜରାଟ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଗ୍ରରୂପ ଧାରଣ କରିଛି। ତେଣୁ ପ୍ରଧାନମନ୍ତ୍ରୀ ୧୬ ଓ ୧୭ରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ମଙ୍ଗଳବାର ମୋଦି ପଞ୍ଜାବ, ଗୋଆ, କେରଳ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେତେକ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଛନ୍ତି। ବୁଧବାର ମୋଦି ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜମ୍ମୁ-କଶ୍ମୀର୍‌ର ଉପରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।

Share