ଗ୍ୟାଙ୍ଗଟକ୍,୨୩।୪: କରୋନା ଭାଇରସ୍ ମହାମାରୀ ଯୋଗୁ ସିକ୍କିମ ସରକାର ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସିକ୍କିମ ପର୍ଯ୍ୟଟନ ମନ୍ତ୍ରୀ ବିଏସ୍ ପନ୍ଥ ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ନାଥୁଲା ପାସ୍ ଜରିଆରେ ଭାରତ ଓ ଚାଇନା ମଧ୍ୟରେ ହେବାକୁ ଥିବା ସୀମା ବାଣିଜ୍ୟ ମଧ୍ୟ ଚଳିତ ବର୍ଷ ବନ୍ଦ ରହିବ ବୋଲି ବିଏସ୍ ପନ୍ଥ କହିଛନ୍ତି। ସୂଚନା ମୁତାବକ ନାଥୁଲା ପାସ୍ ଜରିଆରେ ସୀମା ବାଣିଜ୍ୟ ଚଳିତ ବର୍ଷ ମେ’ ମାସରେ ଆରମ୍ଭ ହେବାକୁ ଥିବା ବେଳେ କୈଳାସ ମାନସରୋବର ଯାତ୍ରା ମଧ୍ୟ ନାଥୁଲା ପାସ୍ ମାଧ୍ୟରେ ଜୁନରେ ଆରମ୍ଭ ହୋଇଥାନ୍ତା। ପ୍ରତିବର୍ଷ ଏହି ଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ହେଲେ ଏହି ମହାମାରୀ ଯୋଗୁ ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ସରକାରଙ୍କୁ ଜଣାଇଦିଆଯାଇଛି ବୋଲି ପନ୍ଥ ସୂଚନା ଦେଇଛନ୍ତି।