କରୋନା ଗବେଷଣାରେ ଓଡ଼ିଆ ଯୁବ ବୈଜ୍ଞାନିକ

କଟକ ଅଫିସ,୧୫ା୬: ଶରୀରରେ ଭିଟାମିନ୍‌-ଡିର ଅଭାବ ରହିଲେ କରୋନାଜନିତ ମୃତ୍ୟୁ ଅଧିକ ହେବ। ଭାରତରେ ଯେଉଁ ସବୁ ସ୍ଥାନରେ କରୋନାଜନିତ ମୃତ୍ୟୁ ଅଧିକ ହୋଇଛି, ସେଠାକାର ଲୋକଙ୍କଠାରେ ଭିଟାମିନ୍‌-ଡିର ଅଭାବ ବେଶୀ ଦେଖିବାକୁ ମିଳିଛି। କେବଳ ଭାରତ ନୁହେଁ, ବୈଶ୍ୱିକ ସ୍ଥିତିକୁ ଅନୁଶୀଳନ କଲେ ଏହି ଦିଗଟି ସାମ୍ନାକୁ ଆସୁଛି। ଭିଟାମିନ୍‌-ଡି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏହା ହିଁ କରୋନାଜନିତ ମୃତ୍ୟୁ କମାଇପାରିବ। ଜର୍ମାନୀର ଏକ ଘରୋଇ ଅନୁଷ୍ଠାନ ଏଭଳି ରିପୋର୍ଟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ପ୍ରଦାନ କରିଛି। ଉକ୍ତ ଅନୁଷ୍ଠାନର ରିସର୍ଚ୍ଚ ଟିମ୍‌ରେ ଜଣେ ଓଡ଼ିଆ ପୁଅ ରହିଛନ୍ତି। ସେ ହେଲେ ରୁକସାନ-ଉର୍‌-ରେହମାନ।
କଟକ କାଫଲାବଜାର ସିଦ୍ଧେଶ୍ୱର ସାହିରେ ରେହମାନ (୨୭)ଙ୍କ ଘର। ପିତା ସାକିଲୁର ରେହମାନ, ମା’ ସବାନା ଆଫରୋଜଙ୍କ ପୁଅ ରେହମାନ ଷ୍ଟିୱାର୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ସ୍ନାତକ ପଢ଼ା ସାରିଥିଲେ। ପରେ ଇନଫୋସିସରେ ଚାକିରି କରୁଥିଲେ। ଏବେ ଜଣେ ଡାଟା ବୈଜ୍ଞାନିକ ଭାବେ ଜର୍ମାନୀରେ ଗବେଷଣା କରୁଛନ୍ତି। ତାଙ୍କ ଅନୁଷ୍ଠାନ ରିପୋର୍ଟ ଅନୁଯାୟୀ, ୧୯୧୮ରେ ହୋଇଥିଲା ସ୍ପାନିସ୍‌ ଫ୍ଲ୍ୟୁ। ଏହି ମହାମାରୀରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ସେହି ଫ୍ଲ୍ୟୁକୁ ଆଧାର କରି ଅନୁଷ୍ଠାନ ଗବେଷଣା ଆରମ୍ଭ କରିଥିଲା ବୋଲି ରେହମାନ କହିଛନ୍ତି। ସ୍ପେନ, ଫ୍ରାନ୍ସ, ଇଟାଲୀ, ଆମେରିକା ସମେତ ଯେଉଁ ଦେଶରେ କରୋନା ଭୀଷଣ ପ୍ରଭାବ ପକାଇଛି, ସେଠାକାର ତଥ୍ୟକୁ ଗବେଷଣାରେ ସାମିଲ କରାଯାଇଛି। ସୂର୍ଯ୍ୟକିରଣ କିମ୍ବା ଆମିଷ ଖାଦ୍ୟରୁ ମଣିଷ ଶରୀରକୁ ଭିଟାମିନ-ଡି ମିଳେ। ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌-ଡି ଥାଏ। ଏହି ସମସ୍ତ ସ୍ଥାନରେ କରୋନାଜନିତ ମୃତ୍ୟୁ ମଧ୍ୟ କମ୍‌ ରହୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ସ୍ଥାନରେ ଅତିବାଇଗଣୀ ରଶ୍ମି (ୟୁଭି-ରେ)ର ସୁପ୍ରଭାବ ରହିଛି, ସେଠାରେ ମଧ୍ୟ କରେନାଜନିତ ମୃତ୍ୟୁ କମ୍‌ ରହୁଛି। ଅତିବାଇଗଣୀ ରଶ୍ମୀ ୨.୨ ପ୍ରତିଶତ ରହିଥିବା ସ୍ଥାନ ତୁଳନାରେ ଶୂନ ଅତିବାଇଗଣୀ ରଶ୍ମୀ ସ୍ଥାନରେ କରୋନାଜନିତ ମୃତ୍ୟୁ ଢେର ଅଧିକ। ଶୀତଦିନରେ ଏହି ଭୂତାଣୁ ଅଧିକ ମାତ୍ରାରେ ପ୍ରଭାବ ପକାଏ। ଏଣୁ ସୂର୍ଯ୍ୟାଲୋକଠାରୁ ଦୂରେଇ ରହୁଥିବା ଲୋକ ନିଜ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ସହ ଭିଟାମିନ-ଡି ଯୁକ୍ତ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବାକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ରେହମାନ କହିଛନ୍ତି। ଉକ୍ତ ରିପୋର୍ଟକୁ ବିଶ୍ୱର ଅନେକ ପ୍ରମୁଖ ଗଣମାଧ୍ୟମ ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି।

Share