କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ

ରାୟଗଡ଼ା ଅଫିସ,୨୨ା୩: କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ରାୟଗଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ କରୋନାକୁ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ଟାଉନ ପୋଲିସ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଶିକ୍ଷକ ଜଣକ ହେଲେ ଭିନାପାଲୀ ଶ୍ରୀ ନିବାସ ରାଓ। ତାଙ୍କ ଘର ପିତାମହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଶର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି। ଶନିବାର ଉକ୍ତ ଶିକ୍ଷକ ଜଣକ ଜେକେପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ମିଥ୍ୟା ପ୍ରଚାର କରିଥିଲେ। ଘଟଣାର ତଦନ୍ତ ପରେ ଜଣାପଡ଼ିଲା ଏହା ସମ୍ପୂର୍ଣ୍ଣ ମିଛ। ପରେ ରାୟଗଡ଼ା ଟାଉନ ପୋଲିସ କେସ୍‌ ନଂ.୮୪/୨୦ରେ ଏକ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବା ରାୟଗଡ଼ା ଟାଉନ ଥାନା ଆଇଆଇସି ନିହାର ରଞ୍ଜନ ପ୍ରଧାନ କହିଛନ୍ତି। କରୋନାକୁ ନେଇ ମିଥ୍ୟା ପ୍ରଚାର କରିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶର୍ବଣା ବିବେକ୍‌ ଏମ୍‌ କହିଛନ୍ତି।

Share