କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା ଚାଷୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଶିଳ୍ପ ପକ୍ଷରୁ କୁହାଯାଇଛି। ମିଥ୍ୟା ଖବର ଭାଇରାଲ ଯୋଗୁ କୁକୁଡା ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ସାଇବର ସେଲ୍‌ରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଅଣ୍ଡା ଏବଂ ବ୍ରଏଲର ଉତ୍ପାଦନରେ ଠିକ୍‌ ମୂଲ୍ୟ ଏବେ ଚାଷୀ ପାଇବା କଷ୍ଟକର ହେଉଛି। ଏପଟେ ମିଥ୍ୟା ଖବର ପ୍ରଚାର ଯୋଗୁ ଲୋକମାନେ ବ୍ରଏଲର କୁକୁଡ଼ା ମାଂସ ଖାଇବାକୁ କ୍ଷାନ୍ତ ରହୁଥିବାରୁ ଚାଷୀଙ୍କୁ ଆହୁରି କ୍ଷତି ସହିବାକୁ ପଡୁଛି ବୋଲି ଅଲ୍‌ ଓଡିଶା ପଲଟ୍ରି ଫୋରମ ପକ୍ଷରୁ ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ କୁହାଯାଇଛି। ମକା ଏବଂ ସୋୟାକୁ ନେଇ କୁକୁଡାଙ୍କ ଲାଗି ସାଧାରଣତଃ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଚିକେନ ଏବଂ ଅଣ୍ଡା ବ୍ୟବହାର କମିବା ଯୋଗୁ ସାରା ଦେଶରେ ମକା ଏବଂ ସୋୟା ଚାଷୀଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିବା କୁହାଯାଇଛି।
ଓଡ଼ିଶା ପଲଟ୍ରି ଫୋରମର ସଭାପତି ଏଚ୍‌.ଏମ୍‌ ଦାସ କହିଛନ୍ତି ଯେ, କରୋନାର ପ୍ରଭାବ ଚିକେନ ବ୍ୟବହାର ସହ କୌଣସି ସମ୍ପର୍କ ନାହିଁ। ଏ ନେଇ ଅପପ୍ରଚାର କରାଯାଇଛି। ଚିକେନ ଖାଇବାରେ କୌଣସି ଅସୁବିଧା ନାହିଁ । ଏ ପ୍ରକାରର ଅପପ୍ରଚାରରୁ ଏବେ ପରଦା ହଟିଛି। ଚିକେନ ଏବଂ ଅଣ୍ଡା ଦର କମିଥିବାରୁ ଏହାର ବ୍ୟବହାର ବଢିଲେ ଏହା ଚାଷୀ ଏବଂ ଅଂଶୀଦାରଙ୍କ ଲାଗି ଲାଭକାରୀ ହୋଇ ପାରିବ। ଭେଙ୍କଟେଶ୍ୱର ହ୍ୟାଚେରର ସାଧାରଣ ପ୍ରବନ୍ଧକ ଡ. ପୁଞ୍ଜା କହିଛନ୍ତି, କୁକୁଡା ପାଳନ ଯୋଗୁ ଓଡ଼ିଶାର ୪ ଲକ୍ଷ ଲୋକ ନିଯୁକ୍ତି ଲାଭ କରିଛନ୍ତି। ଅପପ୍ରଚାର ଯୋଗୁ କୃଷକଙ୍କ ଜୀବିକା ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଏଭଳି ଗୁଜବ ଯୋଗୁ ଫେବୃୟାରୀରେ ଏହି ଶିଳ୍ପକୁ ୧୦୦ କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ସେ ମତ ରଖିଛନ୍ତି। ଗୁଜବକୁ ବିଶ୍ୱାସ ନ କରିବାକୁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Share