କରୋନା ତଥ୍ୟ ଦେଇଥିବା ଚାଇନା ଡାକ୍ତରଙ୍କ ନାମ ଅନୁସାରେ ନାମିତ ହେବ ଆମେରିକାର ସଡ଼କ !

ଓ୍ବାଶିଂଟନ,୮।୫: କରୋନା ଭାଇରସ ସମ୍ପର୍କରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ବିଶ୍ୱକୁ ସୂଚନା ଦେଇଥିଲେ ତାଙ୍କ ନାଁ ଅନୁସାରେ ଆମେରିକା ଓ୍ବାଶିଂଟନ ସହରର ଯେଉଁ ଷ୍ଟ୍ରିଟରେ ଚାଇନା ଦୂତାବାସ ରହିଛି ତା’ର ନାମକୁ ପରିବର୍ତ୍ତନ କରିବାକୁ ଆମେରିକା ସିନେଟର କେତେଜଣ ସଦସ୍ୟ ପ୍ରସ୍ତାବ ଦେଇଥିବା ଜଣାପଡିଛି। ଚାଇନାର ଡାକ୍ତର ଲି ଓ୍ବେନଲିଆଙ୍ଗ ପ୍ରଥମେ ଚାଇନାର ଉହାନ ସହରରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରିଥିଲେ। ସେ ତାଙ୍କର କେତେଜଣ ସାଥି ଡାକ୍ତରଙ୍କୁ କହିଥିଲେ କେତେଜଣ ରୋଗୀଙ୍କଠାରେ ସାର୍ସ ଭଳି ଲକ୍ଷଣ ପ୍ରକାଶ ପାଇଛି। ଗାର୍ଡିୟନରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ମନ୍ତବ୍ୟ ଦେବାକୁ ବାରଣ କରାଯାଇଥିଲା। ଏହାସହ ଚାଇନା ସରକାର ଏହାକୁ ନେଇ ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କୁ ଡରାଇବା, ଧମକାଇବା ସହ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଆଲୋଚନା ହୋଇଥିଲା। ଶେଷରେ ତାଙ୍କର କୋଭିଡ-୧୯ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ମିଳିଥିଲା। ଏହାପରେ ଚାଇନାର ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ରାଗ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆଲୋଚନା ହେଉଛି କି ଆମେରିକା ସିନେଟରମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟକାରୀ ହେବା ଏତେ ସହଜ କଥା ନୁହେଁ। କାରଣ ୨୦୧୪ରେ ମଧ୍ୟ ଏଭଳି ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଇନା ଦୂତାବାସ ଥିବା ଷ୍ଟ୍ରିଟକୁ ଚାଇନାର ଜଣେ ନୋବେଲ ବିଜେତାଙ୍କନାମରେ ନାମିତ କରାଯାଉ ବୋଲି।

Share