କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ ସଂକ୍ରମଣ ଦ୍ୱିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ତୃତୀୟ ଷ୍ଟେଜ୍‌କୁ ଯିବାର ଆଶଙ୍କା ଦେଖାଦେଇଛି। ସମ୍ପ୍ରତି ଦେଶରେ ଦେଖାଦେଇଥିବା ସଙ୍କଟ ୭୩ ବର୍ଷ ତଳେ ୧୯୪୭ରେ ହୋଇଥିବା ଦେଶ ବିଭାଜନ ଦୁଃଖକୁ ବି ବଳି ଯାଇଛି। ଦେଶ ବିଭାଜନ ସମୟରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଭୟରେ ପ୍ରିୟ ପରିଜନଙ୍କୁ କାନ୍ଧରେ ବୋହି ନେଉଥିଲେ। ଏବେ ଭିଟାମାଟିଠାରୁ ଦୂରରେ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଠିକା ଶ୍ରମିକ ଏବଂ ବହୁ ଲୋକେ ଘର ବାହୁଡ଼ିବାକୁ ଚାହୁଁଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଏହା ସମ୍ଭବ ହୋଇ ପାରି ନାହିଁ। ଫଳରେ ଲୋକେ ଚାଲି ଚାଲି ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଚାଲି ପାରୁ ନ ଥିବା ପ୍ରିୟ ପରିଜନଙ୍କୁ ବହୁ ଲୋକେ କାନ୍ଧରେ ମଧ୍ୟ ବୋହି ନେଉଛନ୍ତି। ଏଭଳି ସ୍ଥିତି ପ୍ରାୟ ଏକ କୋଟି ୪୦ ଲକ୍ଷରୁ ଅଧିକ ଠିକା ଶ୍ରମିକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ଜବାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। କରୋନାର ପ୍ରଭାବ ଅଣ-ସଂଗଠିତ କ୍ଷେତ୍ର ଉପରେ ଅଧିକ ପଡ଼ିଥିବା କୁହାଯାଉଛି। ଏହା ଦ୍ୱାରା ଅନ୍ୟ ରାଜ୍ୟକୁ କାମ ସନ୍ଧାନରେ ଯାଇଥିବା ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ହାତରେ ଟଙ୍କା ନାହିଁ କି ଆବଶ୍ୟକ ଖାଦ୍ୟର ମଧ୍ୟ ଅଭାବ ରହିିଛି। କରୋନା ଯୋଗୁ ଉତ୍ତରପ୍ରଦେଶର ସର୍ବାଧିକ ୪୦ ଲକ୍ଷ ୨୦ ହଜାରରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି ବିହାରର ୩୬ ଲକ୍ଷ ୧୬ ହଜାରରୁ ଅଧିକ, ରାଜସ୍ଥାନର ୧୮ ଲକ୍ଷ ୪୪ ହଜାର, ମଧ୍ୟପ୍ରଦେଶର ୧୮ ଲକ୍ଷ ୨୬ ହଜାର ଏବଂ ଓଡ଼ିଶାର ୫ ଲକ୍ଷ ୩ ହଜାରରୁ ଅଧିକ ଶ୍ରମିକଙ୍କ ଜୀବନଜୀବିକାରେ ବାଧା ସୃଷ୍ଟି ହୋଇଛି। ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୧ କୋଟିରୁ ଅଧିକ ଲୋକଙ୍କ ଆର୍ଥିକ ସ୍ଥିତିକୁ କରୋନା ଦୋହଲାଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share