କରୋନା ପରୀକ୍ଷା ଲାଗି କିଟ୍‌ ଦିଅ

ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ତେବେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଅଧୀନରେ ଆସୁଥିବା ଇଏସ୍‌ଆଇ, ନାଲ୍‌କୋ, ଏମ୍‌ସିଏଲ୍‌ ସହିତ ଭୁବନେଶ୍ବରସ୍ଥିତ ଏମ୍‌ସକୁ କୋଭିଡ୍‌-୧୯ର ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ବୁଧବାର ଚିଠି ଲେଖି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଣାଇଛନ୍ତି। ଏହାସହ କୋଭିଡ୍‌-୧୯ ପରୀକ୍ଷଣ ଲାଗି ଆବଶ୍ୟକ କିଟ୍‌ ଦେବାକୁ ସେ ଅନୁରୋଧ କରିଛନ୍ତି।
ଚିଠିରେ ମନ୍ତ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି, ଏମ୍‌ସ ସହ କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍‌-୧୯ ପରୀକ୍ଷା ବ୍ୟବସ୍ଥା ସମ୍ପ୍ରସାରଣ କରିଥିବାରୁ ଧନ୍ୟବାଦ। ହେଲେ ଭୁବନେଶ୍ବର ଓ କଟକ ମଧ୍ୟରେ କୋଭିଡ୍‌-୧୯ର ପରୀକ୍ଷା ସୁବିଧା ସୀମିତ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତ ଅଞ୍ଚଳର ଜନସାଧାରଣ ଏହି ପରୀକ୍ଷା ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ କୋଭିଡ୍‌-୧୯ ପରୀକ୍ଷା ସୁବିଧା ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲାର ଭିମ୍‌ସାର ପାଇଁ ବ୍ୟବସ୍ଥା କଲେ ରାଜ୍ୟବାସୀ ଉପକୃତ ହୋଇପାରିବେ। ଏହା ସହିତ ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀର ନିତାନ୍ତ ଦରକାର ରହିଛି। ଏସବୁ ଯୋଗାଇ ଦେଲେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ, ଆଇଜିଏଚ୍‌, ରାଉରକେଲା ହସ୍ପିଟାଲରେ ରୋଗୀ ସେବା ଓ ଚିକିତ୍ସାରେ ସହାୟକ ହୋଇପାରିବ। ସେହିପରି ରାଜ୍ୟରେ ପରୀକ୍ଷଣ ପାଇଁ ଆବଶ୍ୟକ କିଟ୍‌ର ଅଭାବ ଅଛି, ଏ ଦିଗରେ ପ୍ରାଥମିକତା ଦେଇ ତୁରନ୍ତ ଯୋଗାଇଦେଲେ ଭଲ ହେବ ବୋଲି ଦାସ ଚିଠିରେ ଉଲ୍ଲେଖ କରିଛନ୍ତି।

Share