କରୋନା ପରେ ବାଲ୍ୟ ବିବାହ ବୃଦ୍ଧି ପାଇବା ଆଶଙ୍କା: ଜାତିସଂଘ

ଜେନେଭା,୨୧।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ପରବର୍ତ୍ତୀ ପୃଥିବୀରେ ବହୁ ପରିବର୍ତ୍ତନ ଆସିବା ସହିତ ଆପରାଧୀକ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ରହିଛି। ପୃଥିବୀର ବିଭିନ୍ନ ଦେଶରେଥିବା ଶରଣାର୍ଥୀ ମହିଳା ଏବଂ ବାଳିକାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘର ଶରଣାର୍ଥୀ ପାଇଁ କାର୍ଯ୍ୟ କରୁଥିବା ଶାଖା ୟୁଏନ୍‌ଏଚ୍‌ଆର୍‌ସି ଏନେଇ ଏକ ରିପୋର୍ଟ ପ୍ରକାଶିତ କରିଛି। କରୋନା ପରେ ଅର୍ଥ ଅଭାବରୁ ତଥା ଭୋକ ଉପାସରୁ ରକ୍ଷା ପାଇବା ଲାଗି ଶରଣାର୍ଥୀ ମହିଳାମାନେ ଦେହଜୀବୀ ପାଲଟିବାର ଆଶଙ୍କା ରହିଛି। ଏହାଦ୍ୱାରା ହୁଏତ ଏଚ୍‌ଆଇଭି ପଜେଟିଭ୍‌ଙ୍କ ବଢ଼ିପାରେ। ସେହିପରି ଶରଣାର୍ଥୀ ବାଳିକାଙ୍କୁ ଜାଣିଶୁଣି ବାଲ୍ୟ ବିବାହ କରାଯିବା ଆଶଙ୍କା ଥିବା ୟୁଏନ୍‌ଏଚ୍‌ଆର୍‌ସିର ସହକାରୀ ଉଚ୍ଚାୟୁକ୍ତ ଗିଲିୟନ୍‌ ଟ୍ରିଗ୍ସ୍‌ ସୂଚନା ଦେଇଛନ୍ତି। ଯେଭଳି କୌଣସି ଆପରାଧୀକ କାର୍ଯ୍ୟ ନ ହୋଇ ପାରିବ ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖାଯିବା ସହିତ ଶରଣାର୍ଥୀ ଶିବିରରେ ଆବଶ୍ୟକ ରିଲିଫ୍‌ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଉଥିବା ସେ କହିଛନ୍ତି।

Share