କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍‌ଡାଉନ୍‌ରେ ରହି ହେବ କି ଏତେ ଦିନ !

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତିରେ ବର୍ତ୍ତମାନ ସୁଦ୍ଧା ସାରା ପୃଥିବୀର ବୈଜ୍ଞାନିକ ଅସଫଳ ରହିଛନ୍ତି। କୁହାଯାଉଛି କରୋନା ଲାଗି ଔଷଧ ତିଆରି କରିବାକୁ ବର୍ଷେରୁ ଦେଢ଼ ବର୍ଷ ସମୟ ଲାଗିପାରେ। ସେତେ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ କ’ଣ ସାରା ପୃଥିବୀ ରହିପାରିବ। ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି। ଆମେରିକା, ଚାଇନା ଏବଂ ୟୁରୋପର ବହୁ ରାଷ୍ଟ୍ରର ବୈଜ୍ଞାନିକ କରୋନା ଲାଗି ଔଷଧ ତିଆରିରେ ଦିନରାତି ଗବେଷଣା ଜାରି ରଖିଛନ୍ତି। ପ୍ରତି ଦେଶର ବୈଜ୍ଞାନିକ ନିଜ ଦେଶ ତଥା ସମଗ୍ର ପୃଥିବୀର ସୁରକ୍ଷା ପାଇଁ ଗବେଷଣା କରୁଛନ୍ତି। ଚାଇନାରେ ୧୦୦୦ରୁ ଅଧିକ ବୈଜ୍ଞାନିକ କରୋନା ଔଷଧ ଉପରେ ଗବେଷଣା କରୁଥିବାବେଳେ ଏଥିରେ ସୈନ୍ୟବାହିନୀ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଜର୍ମାନୀର ଏକ ଔଷଧ କମ୍ପାନୀକୁ ଚାଇନା ୧୩୩.୩ ନିୟୁତ ଡଲାର ଯୋଗାଇ ଦେବାକୁ ଘୋଷଣା କରିଛି। ସେହିପରି ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି। ୟୁରୋପ କେତେକ ରାଷ୍ଟ୍ର ମିଳିତ ଭାବେ କରୋନା ମହାମାରୀର ମୁକାବିଲା ଲାଗି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। କରୋନା ଔଷଧ ତିଆରି ପାଇଁ ୟୁରୋପିଆନ୍‌ କମିଶନ ପକ୍ଷରୁ ୮୫ ନିୟୁତ ଡଲାରର ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରାଯାଇଛି। ଭାରତରେ କରୋନା ସହିତ ଲଢ଼େଇରେ ବିଭିନ୍ନ ଔଷଧକମ୍ପାନୀ ସାମିଲ୍‌ ହୋଇଛନ୍ତି। ରେସୋପାରେଟୋରୀ, ଆଣ୍ଟି-ଫ୍ଲୁ ଆଦିର ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧକୁ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଛି। କିନ୍ତୁ ଏହା ଲାଗି ଉପଯୁକ୍ତ ଔଷଧ ପ୍ରସ୍ତୁତି ନେଇ ସଭିଏଁ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି।

Share