ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ ଚାଲୁନି କଇଁଚି। ହାତବାନ୍ଧି ବସିଛନ୍ତି ପାର୍ଲର, ସେଲୁନ ଦୋକାନୀ। ଲୋକଙ୍କୁ ନିରନ୍ତର ସେବା ଯୋଗାଇ ପେଟ ପୋଷୁଥିବା ଏହି ମେହନତି ମଣିଷଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ସରକାରୀସ୍ତରରେ କୌଣସି ସହାୟତା ଘୋଷଣା ନ ହେବା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ପେଟ ପାଇଁ ନିତି ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ୨୮ ସେଲୁନ ଦୋକାନୀ।
ସମ୍ପୃକ୍ତ ଦୋକାନୀମାନେ କୌଳିକ ବୃତ୍ତିକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି। କରୋନା ସଂକ୍ରମଣ ପ୍ରତିରୋଧ ଲାଗି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୧୯ରୁ ସମସ୍ତ ସେଲୁନ୍, ପାର୍ଲର ବନ୍ଦ ରହିଛି। ହେଲେ ପେଟ ପୋଷିବାର ମୁଖ୍ୟ ମାଧ୍ୟମ ବନ୍ଦ ହୋଇଯିବାପରେ ଉପୁଜିଛି ସମସ୍ୟା। ଗ୍ରାମାଞ୍ଚଳର କାରିଗରମାନେ ଘରକୁ ଘର ବୁଲି ସେବା ଯୋଗାଇ ଦେଉଛନ୍ତି। ହେଲେ ସହରାଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଥିବାରୁ ସମ୍ପୃକ୍ତ ସେଲୁନ୍ ଦୋକାନୀ ହାତବାନ୍ଧି ବସିଛନ୍ତି। ସହାୟତା ଯୋଗାଇ ଦେବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣୁ ନ ଥିବା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଥିବାବେଳେ ସେଲୁନ୍ ଦୋକାନୀ ଏଥିରୁ ବାଦ୍ ପଡ଼ିବା କ୍ଷୋଭର ବିଷୟ ବୋଲି ଦୋକାନୀମାନେ କହିଛନ୍ତି।
ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, କେତେକ ସଙ୍ଗଠନ ପକ୍ଷରୁ ସେଲୁନ ଦୋକାନୀଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍ ଦିଆଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ ସେଲୁନ୍ ଦୋକାନୀଙ୍କ ଲାଗି କୌଣସି ସହାୟତା ଆସିନାହିଁ। ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଆମ ଗୁହାରି କେହି ଶୁଣୁନାହାନ୍ତି
ଲକ୍ଡାଉନ ଯୋଗୁ ପାଖାପାଖି ଦୁଇମାସ ହେଲା ଦୋକାନ ବନ୍ଦ। ଦୋକାନ ଖୋଲାଥିବା ସମୟରେ ଭଲ ବ୍ୟବସାୟ ହେଉଥିଲା। ପରିବାର ହସଖୁସିରେ ଚଳିଯାଉଥିଲା। ହେଲେ ଏବେ ଦୁଇଓଳି ଖାଇବାକୁ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲାଣି। ଆମ ଗୁହାରି କେହି ଶୁଣୁନାହାନ୍ତି। ବାଧ୍ୟ ହୋଇ ଘରକୁ ଘର ବୁଲି କେତେଜଣଙ୍କ ଚୁଟି କାଟି ଗୁଜୁରାଣ ମେଣ୍ଟାଉଛି।
– କରୁଣାକର ବାରିକ
୫ କର୍ମଚାରୀଙ୍କ ରୋଜଗାର ବନ୍ଦ
ଏକତାଳି ପଞ୍ଚାୟତରୁ ଆସି ଭୁବନ ଏନ୍ଏସିରେ ସେଲୁନ୍ କରିଛି। ଦୋକାନରେ ୫ଜଣ କାରିଗର କାମ କରୁଥିଲୁ। କରୋନା ସଂକ୍ରାମଣ ଭୟ ଥିବା କହି ସରକାର ଦୋକାନ ବନ୍ଦ କରିଦେଲେ। ସେହିଦିନଠାରୁ ବ୍ୟବସାୟ ଠପ୍। ସଞ୍ଚିତ ଅର୍ଥ ସରିଗଲାଣି। ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛୁ। ସରକାର ନିଶ୍ଚୟ ଆମ କଥା ବିଚାର କରିବେ ବୋଲି ଆଶା ଅଛି।
– ଅଜୟ କୁମାର ବାରିକ