କରୋନା ପାଇଁ ପଡ଼ିପାରୁନି ହାତଗଣ୍ଠି

ସମ୍ବଲପୁର, ୨୫। ୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ସମଗ୍ର ଦେଶବାସୀ ଭୟଭିତ। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଲକ୍‌ ଡାଉନ ଓ ଜନତା କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇଛି । ସାମାଜିକ ଦୂରତା ରହିଲେ କରୋନା ସଂକ୍ରମଣ ସହ ଲଢ଼େଇ କରି ବିଜୟ ଲାଭ କରିହେବ ବୋଲି ସରକାର ସଚେତନ କରୁଛନ୍ତି। ତେଣୁ ରାଜ୍ୟ ସରକାର ସମସ୍ତ ବାହାଘର, ବ୍ରତଘର, ହୋମଯଜ୍ଞ, ବୈଠକ, ସରକାରୀ ଓ ବେସରକାରୀ ସଭାସମିତି ଆଦି ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ପାଳନ କରି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜିଲାରେ ଥିବା କଲ୍ୟାଣ ମଣ୍ଡପ ଓ ମନ୍ଦିର ଗୁଡିକରେ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ସୂଚନା ଦିଆଯାଇଛି। ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ଲୋକମାନେ ମଧ୍ୟ ନିଜ ସ୍ବଇଚ୍ଛାରେ କାର୍ଯ୍ୟକ୍ରମ ସ୍ଥଗିତ କରି ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମାନେଶ୍ୱରର ମାନଧାତା ବାବା ମନ୍ଦିର ପରିସରରେ କେବଳ ମାର୍ଚ୍ଚ ମାସରେ ୨୭ଟି ମାଙ୍ଗଳିକ କାର୍ଯ୍ୟ ହେବାର ଥିଲା । ସେହିପରି ଏପ୍ରିଲ ମାସରେ ୧୭ଟି ଓ ମେ ମାସରେ ୬ଟି କାର୍ଯ୍ୟକ୍ରମ କରିବାକୁ ଲୋକମାନେ ବୁକିଂ କରିଥିଲେ । ହେଲେ ମନ୍ଦିର ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପ୍ରସିଦ୍ଧ ହୁମା ବକ୍ର ମନ୍ଦିରରେ ମଧ୍ୟ ଏପ୍ରିଲ ମାସରେ ୪ଟି କାର୍ଯ୍ୟକ୍ରମ କରିବାର ସ୍ଥିର ହୋଇଥିଲା। ସେହିପରି ସମଲେଇ ମନ୍ଦିରରେ ମାତ୍ର ୨ଟି କାର୍ଯ୍ୟକ୍ରମ ରହିଥିଲା, ଯାହାକୁ ଟ୍ରଷ୍ଟ ପକ୍ଷରୁ ବାତିଲ କରାଯାଇଥିଲା । ସେହିପରି ପାଟଣେଶ୍ୱରୀ ମନ୍ଦିରରେ ଏପ୍ରିଲ ୨ରେ ବିବାହ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ ଏପ୍ରିଲ ୧୭ରେ ହେବାକୁ ଥିବା ବିବାହ ମଧ୍ୟ ବାତିଲ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବୁଢ଼ାରଜା ମନ୍ଦିର, ଗାୟତ୍ରୀ ମନ୍ଦିର ଭଳି ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଦେଖିବାକୁ ଗଲେ ସମସ୍ତ ସୁବିଧା ଥିବାରୁ ଲୋକମାନେ କଲ୍ୟାଣ ମଣ୍ଡପ, ହୋଟେଲ ଗୁଡିକରେ ବିବାହ, ବ୍ରତ କାର୍ଯ୍ୟକ୍ରମ କରିବାକୁ ଇଚ୍ଛାପ୍ରକାଶ କରିଥାନ୍ତି । ସମ୍ବଲପୁର ସହରରେ ପ୍ରାୟ ୧୫ରୁ ଅଧିକ ଘରୋଇ କଲ୍ୟାଣ ମଣ୍ଡପ ଓ ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ୪ଟି କଲ୍ୟାଣ ମଣ୍ଡପ ରହିିଛି । ବର୍ଷ ତମାମ ସଭା ସମିତି ସହ ଏଭଳି ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ହେଲେ କରୋନା କଟକଣା ଯୋଗୁ ସମସ୍ତ କଲ୍ୟାଣ ମଣ୍ଡପ ଏବେ ବନ୍ଦ ରହିଛି । ଜଣେ କଲ୍ୟାଣ ମଣ୍ଡପ ମାଲିକ ନାମ ଗୋପନ ରଖି କହିଛନ୍ତି ଯେ, ନଭେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବିବାହ, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଦିନ ରହିଥାଏ । ତେଣୁ ପ୍ରାୟ କଲ୍ୟାଣ ମଣ୍ଡପରେ ମାସକରେ ୧୦ରୁ ୧୫ ଦିନ ବୁକିଂ ରହିଥାଏ । ଏବେ କରୋନା ମୁକାବିଲା ପାଇଁ ସରକାରୀ ନିର୍ଦ୍ଦେଶକୁ ପାଳନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ବାତିଲ କରାଯାଇଛି । କିଛି ପରିବାର ନିଜ ପକ୍ଷରୁ ବୁକିଂ କ୍ୟାନସେଲ କରିଛନ୍ତି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ବୁକିଂ କରିଥିବା ଲୋକମାନଙ୍କୁ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି।

Share