Advertisement

କରୋନା ପାଇଁ ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧।୨(ବ୍ୟୁରୋ): ନଭେଲ୍‌ କରୋନା ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ମୁକାବିଲା ଲାଗି ଶୁକ୍ରବାର ଏକ ମକ୍‌ଡ୍ରିଲ୍‌ ଆୟୋଜିତ ହୋଇଯାଇଛି। ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ୍‌ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡା. ଧନଞ୍ଜୟ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏହି ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ଗାଇଡ୍‌ଲାଇନ୍‌ର ତ୍ୱରିତ ପଦକ୍ଷେପ ଅନୁସାରେ ପ୍ରଥମେ ଡାକ୍ତର ସମ୍ଭାବ୍ୟ ସଂକ୍ରମଣ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରିବା ପରେ ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍ସରେ ଅଣାଯାଇ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଆଇସୋଲେଶନ୍‌ ୱାର୍ଡରେ ପହଞ୍ଚା ଯାଇଥିଲା। ଏହାପରେ ଡାକ୍ତରୀ ପରୀକ୍ଷା କରାଯାଇ ସ୍ବାବ୍‌ ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।
ଅନ୍ୟପଟେ ଜାନୁୟାରୀ ୧୫ ପରେ କରୋନା ସଂକ୍ରମିତ ଦେଶରୁ ଓଡ଼ିଶା ଫେରିଥିବା ୪ଜଣଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯିବା ସହ ଶୁକ୍ରବାର ସେମାନଙ୍କ ସ୍ବାବ୍‌ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ସର୍ଭେଲାନ୍ସ ଟିମ୍‌ ଏହି ଆଇସୋଲେଟେଡ୍‌ ବ୍ୟକ୍ତିମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସେମାନେ ନିରୀକ୍ଷଣ ମଧ୍ୟରେ ରହିବେ। ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସ୍ବାସ୍ଥ୍ୟ ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ କରୋନା ସଂକ୍ରମଣ ପ୍ରତିରୋଧ ଦିଗରେ ତୀକ୍ଷ୍‌ଣ ନଜର ରଖିବା ସହ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share