କରୋନା ପାଇଁ ଶରୀର ଦାନ କରିବାକୁ ପ୍ରସ୍ତୁତ ଦିଲ୍ଲୀର ପ୍ରଥମ ପ୍ଲାଜମା ଡୋନର

ନୂଆଦିଲ୍ଲୀ,୨୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଗ୍ରାସ କରିବାରେ ଲାଗିଛି। ଏହି ଯୁଦ୍ଧରେ ବିଜୟୀ ହେବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ଦେଶରେ କରୋନା ଚିକିତ୍ସା ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରଥମ କରି ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି। ଏହି ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଶୀଘ୍ର କରାଯାଇ ପାରୁଛି ବୋଲି କୁହାଯାଉଛି। ଦିଲ୍ଲୀରେ କରୋନାରୁ ସୁସ୍ଥ ହୋଇଥିବା ତବରେଜ ଖଁା ନାମକ ଜଣେ ଯୁବକ ନିକଟରେ ପ୍ଲାଜମା ଦାନ କରିଛନ୍ତି। ଦିଲ୍ଲୀର ପ୍ରଥମ ପ୍ଲାଜମା ଡୋନର ଭାବେ ସେ କହିଛନ୍ତି, ମୋତେ ଜଣାନାହିଁ ମୋ ପ୍ଲାଜମା କାହା କାମରେ ଆସିଲା। ହେଲେ କରୋନା ଭଳି ମହାମାରୀକୁ ଦୂରେଇବା ପାଇଁ ହେଲେ ଦେଶର ଗବେଷଣା କ୍ଷେତ୍ରରେ ଯଦି ମୋ ଶରୀର ଆବଶ୍ୟକ ପଡେ ତେବେ କରୋନାକୁ ହରାଇବାକୁ ମୁଁ ମୋ ଶରୀର ଦାନ କରିବାକୁ ପ୍ରସ୍ତୁତ ଅଛି। ତବରେଜଙ୍କ ଏହି ମନୋବଳ ଅନ୍ୟମାନଙ୍କୁ କରୋନା ସହ ଲଢିବାକୁ ଉତ୍ସାହ ଦେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ତବରେଜଙ୍କ ଭଉଣୀ ବିଦେଶରୁ ଫେରିଥିବା ବେଳେ ସେ କରୋନାରେ ସଂକ୍ରମିତ ଥିବାରୁ ତାଙ୍କଠାରୁ ତବରେଜଙ୍କୁ କରୋନା ସଂକ୍ରମିତ ହୋଇଥିଲା।

Share