କରୋନା ପାଇଁ ସୀମାନ୍ତ ସିଲ୍‌ କଲା ପ୍ରଶାସନ

ସିନାପାଲି,୨୮।୩ (ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ପାଇଁ ସିନାପାଲି ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଛତିଶଗଡ ସୀମାକୁ ସିଲ୍‌ କରିବା ସହ ସହର ସମେତ ଗ୍ରାମାଞ୍ଚଳରେ ଯାଞ୍ଚ କଡାକଡି କରାଯାଇଛି। ସିନାପାଲି ପୋଲିସ ତରଫରୁ ସଦାସର୍ବଦା ପାଟ୍ରୋଲିଂ ଜାରି ରଖିବା ସହ ଲୋକଙ୍କୁ ତାଗିଦ କରାଯାଉଛି। ହେଲେ ଜନସାଧାରଣ କେତେକାଂଶରେ ମାନୁ ନାହାନ୍ତି। ଯାହାଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡୁଛି ।
ସିନାପାଲି ସହରଠାରୁ ୧୨ କିମି ଦୂରକୁ ଲାଗି ରହିଥିବା ଛତିଶଗଡ ସୀମାନ୍ତ କୁସୁମଯୋର ସୀମାରେ ଗଛ ପକାଇ ରାସ୍ତା ସିଲ୍‌ କରାଯାଇଛି । ସେହିପରି ଅନ୍ୟ ଏକ ଗୋହେରାପଦର- ଧିଙ୍ଗିଆମୁଣ୍ଡା ରାସ୍ତାରେ ମଧ୍ୟ ବିରାଟ ଗଛ ପକାଇ ରାସ୍ତା ସିଲ୍‌ କରାଯାଇଛି । ପଡୋଶୀ ଛତିଶଗଡ ଏବଂ ଓଡିଶା ମଧ୍ୟରେ ସଂପୂର୍ଣ୍ଣ ଚଳାଚଳ ବନ୍ଦ ରହିଛି। କେତେକାଂଶରେ ଲୋକେ ଜରୁରୀ କାମ ପାଇଁ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ସିନାପାଲି ସହରରେ ସଂପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ତେଜରାତି ଦୋକାନକୁ ଦୈନିକ ୫ ଘଣ୍ଟା ପାଇଁ ଖୋଲା ରହିଛି । ଔଷଧ ଦୋକାନ ଗୁଡିକ ଖୋଲା ରହୁଛି। ପୋଲିସ ତରଫରୁ ଘରୁ ବାହାରକୁ ନ ବାହାରିବା ପାଇଁ କଡାକଡି ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳର କେତେକ ଗାଁ ଗଣ୍ଡାରେ ଅନ୍ୟ ଗ୍ରାମର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ।