Advertisement

କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ସେ କହିଛନ୍ତି ‘୮୩’ କେବଳ ତାଙ୍କର ଫିଲ୍ମ ନୁହେଁ ଏହା ଦେଶର ଫିଲ୍ମ। ତେଣୁ ଦେଶର ସ୍ବାସ୍ଥ୍ୟ ଓ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଦଳ ୧୯୮୩ରେ ଜିତିଥିବା ବିଶ୍ୱକପକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। ସେତେବେଳେ କପିଲ ଦେବ କ୍ୟାପଟେନ ଥିବା ବେଳେ ରଣବୀର ସିଂ କପିଳ ଦେବଙ୍କ ଚରିତ୍ରରେ ଏହି ଫିଲ୍ମରେ ନଜର ଆସୁଛନ୍ତି। ଦୀପିକା କପିଳ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇସାରିଛି। ଏବେ କରୋନା ଭାଇରସର ପ୍ରଭାବକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ସିନେମା ହଲ୍‌ ବନ୍ଦ କରଯାଇଥିବାରୁ ଏବେ କୌଣସି ଫିଲ୍ମ ରିଲିଜ୍‌ କରାଯାଉ ନାହିଁ। ମାର୍ଚ୍ଚ ୨୪ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ରିଲିଜ୍‌ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share