କରୋନା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ବାର୍‌ କାଉନସିଲ୍‌ର ପ୍ରସ୍ତାବ: ‘ସବୁ କୋର୍ଟ ବନ୍ଦ କରାଯାଉ’

କଟକ ଅଫିସ,୧୬।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦ୍ରୁତଗତିରେ ଏହା ବ୍ୟାପୁଥିବା ଯୋଗୁ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶିକ୍ଷାନୁଷ୍ଠାନ, କ୍ଲବ, ଜିମ୍‌, ସିନେମା ହଲ୍‌ ଏବଂ ଜନଗହଳିପୂର୍ଣ୍ଣ ପ୍ରତିଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କୋର୍ଟଗୁଡିକରେ ମଧ୍ୟ ସବୁ ସମୟରେ ଜନଗହଳି ଲାଗି ରହୁଛି। ତେଣୁ କୋର୍ଟଗୁଡିକ ବନ୍ଦ ରଖିବାକୁ ହାଇକୋର୍ଟକୁ ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭୂତାଣୁ ପ୍ରଭାବ କମିବା ପର୍ଯ୍ୟନ୍ତ କୋର୍ଟ ବନ୍ଦ ରଖିବାକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୫ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଜନଗହଳି ସୃଷ୍ଟି କରୁଥିବା ସମସ୍ତ କାର୍ଯ୍ୟର ଆୟୋଜନକୁ ବାରଣ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୩ରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୋର୍ଟ କାର୍ଯ୍ୟକୁ ସୀମିତ ରଖାଯିବ ବୋଲି କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାର୍‌ କାଉନ୍‌ସିଲ୍‌ ବୈଠକରେ ହାଇକୋର୍ଟ ଏବଂ ଏହାର ଅଧୀନ କୋର୍ଟଗୁଡିକର କର୍ମଚାରୀ, ଆଇନଜୀବୀ, ମକଦ୍ଦମାକାରୀଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିଷୟରେ ବିଚାର କରିବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କୋର୍ଟଗୁଡିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ଜରୁରୀ ମାମଲାର ଶୁଣାଣିବେଳେ ଅନ୍ୟ ଆଇନଜୀବୀଙ୍କୁ ବାରଣ କରାଯାଉ, କୋର୍ଟରେ ପରିଦର୍ଶକଙ୍କୁ ପାସ୍‌ ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗୁ ହେଉ, ଜରୁରୀ ନ ଥିଲେ ମକଦ୍ଦମାକାରୀଙ୍କୁ ବ୍ୟକ୍ତିଗତ ହାଜିରାରେ ଛାଡ କରାଯାଉ, ଅଭିଯୁକ୍ତଙ୍କ ବ୍ୟକ୍ତିଗତ ହାଜିରା ବିନା ଟ୍ରାଏଲ୍‌ କୋର୍ଟଗୁଡିକ ରିମାଣ୍ଡ ଆଦେଶ ପ୍ରଦାନ କରନ୍ତୁ, କୋର୍ଟ ଭିତରକୁ ଇଣ୍ଟର୍ନମାନଙ୍କୁ ପ୍ରବେଶ ଅନୁମତି ଦିଆ ନ ଯାଉ କିମ୍ବା ନୂଆ ଭାବେ ଇଣ୍ଟର୍ନ ପାସ୍‌ ପ୍ରଦାନ କରା ନ ଯାଉ, କେବଳ ଜରୁରୀ ଏବଂ ଆବଶ୍ୟକ ମାମଲାଗୁଡିକର ଶୁଣାଣି ଭିତରେ କୋର୍ଟ କାର୍ଯ୍ୟ ସୀମିତ ରଖାଯାଉ ବୋଲି ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ହାଇକୋର୍ଟ ନିକଟରେ ଅନୁରୋଧ କରାଯାଇଛି।

Share